ଭିବିଜୀ ରାମଜୀ ଗ୍ରାମୀଣ ଗୃହ ବିଜି ବିଓ ଓ ପାନୀୟ ଜଳ ଯୋଜନା ଉପରେ ଗୁରୁତ୍ୱ

ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଗୁରୁବାର ଜିଲ୍ଲା ଗସ୍ତରେ ଆସି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ସେ ବିଭିନ୍ନ ଯୋଜନାର ସ୍ଥିତି, ଅଗ୍ରଗତି ଓ ଲକ୍ଷ୍ୟ ପୂରଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୈଠକରେ ଭିବିଜୀ ରାମଜୀ, ବିକଶିତ ଗାଁ ବିକଶିତ ଓଡ଼ିଶା, ଗ୍ରାମୀଣ ଗୃହ ଯୋଜନା ଓ ପାନୀୟ ଜଳ ଯୋଗାଣ ସମେତ ବିଭାଗର ଅନ୍ୟାନ୍ୟ ପ୍ରମୁଖ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଯୋଜନା ଅଧୀନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ କାର୍ଯ୍ୟର ଗୁଣବତ୍ତା ଓ ଅଗ୍ରଗତି ଉପରେ ନିରନ୍ତର ନଜର ରଖିବାକୁ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭିବିଜୀ ରାମଜୀ ଯୋଜନାରେ ଅଧିକ ଶ୍ରମଦିବସ ସୃଷ୍ଟି କରିବା ଲକ୍ଷ୍ୟରେ ୧୫ ଦିନ ପୂର୍ବରୁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଲୋକଙ୍କୁ ନିରବଚ୍ଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ଯୋଜନାର ସୁଫଳ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସଠିକ୍ ଓ ସମୟୋଚିତ ଭାବେ ପହଞ୍ଚିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ରହିଥିବା ସମସ୍ୟା, ଅଗ୍ରଗତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ବିଭିନ୍ନ ତଥ୍ୟ ଓ ମତାମତ ସଂଗ୍ରହ କରିଥିଲେ। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ସମସ୍ତ ବିଡିଓ, ଏଇ, ଜେଇ, ଏପିଓ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ ସିଡିଓ ସମୀର କୁମାର ଜେନା ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ