ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡା – ଆର୍ଥିକ ଠକେଇର ଶିକାର ହୋଇଥିବା ଦଳିତ ବର୍ଗର ମହିଳାମାନେ ଥାନାରୁ ନ୍ୟାୟ ନପାଇ ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ ଆଠବାଟିଆ ଗ୍ରାମର କାଶୀନାଥ ନାୟକଙ୍କ ପତ୍ନୀ ମିତାରାଣୀ ନାୟକ ଅନ୍ୟ ୧୫ଜଣ ମହିଳାଙ୍କ ସହିତ ପଡୋଶୀ କଲ୍ୟାଣୀ ବେହେରା ଓ ଶସ୍ମିତା ବେହେରାଙ୍କ ପରାମର୍ଶ କ୍ରମେ ଏଲ.ଆଣ୍ଡ ଟି.ଫାଇନାନ୍ସ କମ୍ପାନୀ ରାହାମାରୁ ପ୍ରତ୍ୟେକ ୩୦ହଜାର ଟଙ୍କା ଲେଖାଁଏ ଋଣ ଆଣିଥିଲେ । ପଡୋଶୀ କଲ୍ୟାଣୀ ବେହେରା ଓ ଶସ୍ମିତା ବେହେରା ସେମାନଙ୍କ ସ୍ୱାମୀଙ୍କ ସହ ମିଶି ମିତାରାଣୀ ଓ ଅନ୍ୟମହିଳାମାନଙ୍କୁ ମିଥ୍ୟା ପ୍ରଲୋଭନ ଓ ସବସିଡର ଆଶା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୨୨ହଜାର ଟଙ୍କା ଲେଖାଁଏ ଠକି ନେଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ମିତାରାଣୀ ଓ ଅନ୍ୟମାନେ ଟଙ୍କା ମାଗି ନିରାଶ ହୋଇଥିଲେ । କଲ୍ୟାଣୀ ବେହେରା ଓ ଶସ୍ମିତା ବେହେରା ସେମାନଙ୍କ ସ୍ୱାମୀଙ୍କ ସହ ମିଶି ଜୀବନରେ ମାରିଦେବାକୁ ଧମକ ଦେବା ପରେ ମିତାରାଣୀ ଓ ଅନ୍ୟମାନେ ଶେଷରେ ବାଧ୍ୟ ହୋଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମିତାରାଣୀ ଅନ୍ୟ ମହିଳାମାନଙ୍କ ସହିତ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।