ଯୋଗୀଙ୍କୁ ଇସିଙ୍କ ପରାମର୍ଶ ଏପରି ଭୁଲ ପୁନରାବୃତ୍ତି ନହେଉ
ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ସେନାକୁ “ମୋଦିଙ୍କ ସେନା’ କହି ବିବାଦ ଘେରକୁ ଚାଲିଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି । ଭବିଷ୍ୟତରେ ଏଭଳି ମନ୍ତବ୍ୟ ନଦେବା ତଥା ଏପ୍ରକାର ଭୁଲ୍ ନହେବା ଲାଗି ସତର୍କ ରହିବାକୁ ଆୟୋଗ ଯୋଗୀଙ୍କୁ ଚେତାଇ ଦେଇଛନ୍ତି ।
ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ରାଜନୈତିକ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେଇ “ମୋଦି ଜୀ କି ସେନା’ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ମାରିଛନ୍ତି ବୋଲି ଉଦ୍ବୋଧନ ଦେଇଥିଲେ । ଏହାକୁ ନେଇ ବିରୋଧୀ ବିଶେଷକରି କଂଗ୍ରେସ ଆପତ୍ତି ଉଠାଇବା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । କଂଗ୍ରେସ ଏହାକୁ ଯୋଗୀଙ୍କ ପ୍ରେମପତ୍ର ବୋଲି ସମ୍ବୋଧନ କରିଥିଲା । ଏହା ପରେ ଆୟୋଗ ଯୋଗୀଙ୍କୁ ନୋଟିସ୍ ଜାରି କରିବା ସହ ଏପ୍ରିଲ ୫ ତାରିଖ ମଧ୍ୟରେ ଉତ୍ତର ରଖିବାକୁ କହିଥିଲେ । ଆୟୋଗଙ୍କୁ ଉତ୍ତର ଦେଇ ଯୋଗୀ କହିଥିଲେ ଯେ, କଂଗ୍ରେସ ଲୋକମାନେ ଆତଙ୍କବାଦୀମାନଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ ଏବଂ ଭାରତୀୟ ସେନା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ଗୁଳି ଖୁଆଉଛନ୍ତି । ସେ କେବଳ ସେନାର ସାମର୍ଥ୍ୟ ଏବଂ ଏହା ପଛରେ ଥିବା ମୋଦିଙ୍କ ଦୃଢ଼ ନେତୃତ୍ୱ ସମ୍ପର୍କରେ କହିବାକୁ ଚାହିଁଥିଲେ ।


