ବିରିଆନୀ ନମିଳିବାରୁ ତୁମୁଳକାଣ୍ଡ, ୨ଠ ଗୁରୁତର ମାରପିଟ୍ ହୋଇ ୯ କଂଗ୍ରେସ କର୍ମୀ ଗିରଫ
ମୁଜାଫରନଗର(ଏଜେନ୍ସି): ଉତ୍ତରପ୍ରଦେଶ ମୁଜାଫରନଗର ଠାରେ ଆଜି ବିରିଆନୀ ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଏବଂ ଏଥିରେ ୨ଠରୁ ଅଧିକ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁସାରେ ପୂର୍ବତନ ବିଧାୟକ ମୌଲାନା ଜମିଲଙ୍କ ବାସଭବନରେ ଆଜି ଏକ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା । ଏଥିରେ କଂଗ୍ରେସ ପ୍ରାର୍ଥୀ ନାସିମୁଦ୍ଦିନ ସିଦ୍ଦିକିଙ୍କ ସମର୍ଥକମାନେ ଯୋଗଦେଇଥିଲେ । ସଭା ପରେ କର୍ମୀମାନଙ୍କୁ ବିରିଆନୀ ଖାଇବାକୁ ଦିଆଯିବା ନେଇ ପୂର୍ବରୁ କୁହାଯାଇଥିଲେ ମଧ୍ୟ ଅଧିକାଂଶ କର୍ମୀ ଜିଦ୍ କରିଥିଲେ ଯେ, ସଭା ପୂର୍ବରୁ ସେମାନଙ୍କୁ ବିରିଆନୀ ପ୍ୟାକେଟ୍ ଦିଆଯାଉ । ମାତ୍ର ବିରିଆନୀ ବଣ୍ଟନ ଦାୟିିତ୍ୱରେ ଥିବା କେତେକ କର୍ମୀ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ କଥାକଟାକଟି ହେବା ଆରମ୍ଭ ହୋଇଥିଲା ଏବଂ ପରେ ଏହା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରିସ୍ଥିତି ଏପରି ଅସମ୍ଭାଳ ହୋଇପଡିଥିଲା ଯେ, ଘଟଣାସ୍ଥଳକୁ ପୁଲିସ୍କୁ ଡାକିବାକୁ ପଡିଥିଲା । ଖବର ପାଇ ପୁଲିସ୍ ସେଠାରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଏହି ଘଟଣା ପାଇଁ ପୁଲିସ ପୂର୍ବତନ ବିଧାୟକ ଜମିଲ ଏବଂ ତାଙ୍କ ପୁଅ ନଇମ ଅହମ୍ମଦଙ୍କ ସମେତ ୩୪ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି । ଅନ୍ୟପକ୍ଷେ ନିର୍ବାଚନୀ ସଭାରେ ବିରିୟାନୀ ବଣ୍ଟନ ଉପରେ ଆଜି ରାଜ୍ୟ ନିର୍ବାଚନ ଆୟୋଗ କଟକଣା ଲଗାଇଛନ୍ତି । ଏଣିକି ସଭାରେ ବିରିଆନୀ ବଣ୍ଟନ ପାଇଁ ମଧ୍ୟ ଅନୁମତି ନେବାକୁ ପଡ଼ିବ ବୋଲି ଆୟୋଗ କହିଛନ୍ତି । କିନ୍ତୁ କଂଗ୍ରେସ ଏହି ସଭାରେ ବିରିଆନୀ ବଣ୍ଟନ ପାଇଁ ଅନୁମତି ନେଇ ନ ଥିବାରୁ ଆୟୋଗଙ୍କ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ଏହି ଘଟଣାରେ ୯ ଅଭିଯୁକ୍ତଙ୍କ ଗିରଫ କରାଯାଇଥିବା ଜଣାପଡିଛି ।