କାଳିଆକୁ ନେଇ ଦଶମ ଦିନରେ ଅକ୍ଷୟଙ୍କ ଅନଶନ,ଭେଟିଲେ ନିରଞ୍ଜନ
ଭୁବନେଶ୍ୱର,: କାଳିଆ ଯୋଜନାରୁ ଅର୍ଥ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସତ୍ୟ ବିରୁଦ୍ଧରେ ଅକ୍ଷୟଙ୍କ ସତ୍ୟାଗ୍ରହ ଦଶମ ଦିନରେ ପହଞ୍ôଚଛି । ପ୍ରଥମରୁ ରାଜନୈତିକ ମହଲରେ ଅନଶନ ପ୍ରଭାବଶାଳୀ ସାବ୍ୟସ୍ତ ହେବନାହିଁ ବୋଲି ଯେଉଁମାନେ ଆକଳନ କରୁଥିଲେ ସେମାନେ ଏବେ ଆତଙ୍କିତ ହେଲେଣି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅକ୍ଷୟ କୁମାରଙ୍କୁ ଭେଟିଥିବା ବେଳେ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହରି ଖୁଣ୍ଟିଆ, ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ, ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଜଟଣୀର ଲୁଲୁ ବଡ଼ଜେନା ପ୍ରମୁଖ ଅକ୍ଷୟ କୁମାରଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ପ୍ରତନିଧିଙ୍କୁ ଅନଶନସ୍ଥଳରେ କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ସରକାର ପ୍ରଚାର ଓ ପ୍ରତାରଣାର ସରକାର । ରାଜ୍ୟର ଚାଷୀ ଆନ୍ଦୋଳନକୁ ସମର୍ଥନ ଥିଲା ଓ ଏବେ ବି ରହିଛି । ବିଜେପି ନେତାମାନେ ଚାଷୀଙ୍କ ସହ ନବୀନଙ୍କ ଧୋବାବାଜିକୁ ଧୋକାଦାରୀକୁ ନିନ୍ଦା କରିଥିଲେ । ଆଜି ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ ଯାଜପୁରରେ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା ଓ ଅକ୍ଷୟ କୁମାରଙ୍କ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ସେହିପରି ଭୁବନେଶ୍ୱରରେ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ସଂଗଠନର ଯୁବଛାତ୍ର ସଂଗଠନ ତରଫରୁ ଏକ ମଶାଲ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସାଇପ୍ରସାଦ ପଲାଇ, ଯୋଶୋ ପ୍ରମୁଖ ନେତୃତ୍ୱ ନେଇ ନବୀନ ପଟ୍ଟନାୟକ ଚାଷୀଙ୍କ ସହ ଯେଉଁ ଧୋକାବାଜି କରିଛନ୍ତି ତା ବିରୁଦ୍ଧରେ ଓ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ମଶାଲା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି ବୋଲି କହିଥିଲେ । ଆଗାମୀ ୬ ତାରିଖରେ ସାରା ରାଜ୍ୟରେ ଅକ୍ଷୟ କୁମାରଙ୍କ ସତ୍ୟାଗ୍ରହକୁ ସମର୍ଥନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଜଣାଇଛନ୍ତି ।