୧୦ରୁ କୁହୁଡ଼ି ବଢ଼ିବ
ଭୁବନେଶ୍ୱର : ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହେବ । ଏହାପରେ କିନ୍ତୁ ପାଗରେ ପରିବର୍ତ୍ତନ ଆସିବ । ବର୍ଷା କମିବା ସହ କୁହୁଡ଼ି ଓ ଥଣ୍ଡା ବଢ଼ିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଘନକୁହୁଡ଼ି ସହ ଥଣ୍ଡା ସାମାନ୍ୟ ବଢ଼ିବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ୧୦ ଓ ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବଲାଙ୍ଗୀର, ସୋନପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆକଳନ କରାଯାଇଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୮ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା କମିବ । ପୁରୀର ଦକ୍ଷିଣରେ ଥିବା ଉପକୂଳ ଅଞ୍ଚଳରେ ତାପମାତ୍ର କମ୍ କମିବ ବା ଅପରିବର୍ତ୍ତିତ ରହିବ । ଭୁବନେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ୧୦ ତାରିଖରେ ସର୍ବନିମ୍ନ ତାପମାତ୍ରା କମିବ । ୧୦ରୁ ୧୨ ତାରିଖ ଭିତରେ ପ୍ରାୟ ଦୁଇ ଡିଗ୍ରି କମିବ ଏବଂ ଥଣ୍ଡା ବଢ଼ିବ । ୯ ତାରିଖ ରାତିରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା କମିବ । ୧୦ ତାରିଖ ରାତିରେ ମଧ୍ୟ ପୁଣି ସର୍ବନିମ୍ନ ତାପମାତ୍ରା କମିବା ହେତୁ ଥଣ୍ଡା ବହୁତ ବଢ଼ିବ । ବାଲେଶ୍ୱର, ଭଦ୍ରକ ଓ ସଂଲଗ୍ନ ଅଞ୍ଚଳରେ ଦୁଇ ଡିଗ୍ରିରୁ ଅଧିକ କମିପାରେ । ଅନ୍ୟପକ୍ଷରେ ୯ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ପାଗ ଆଂଶିକ ମେଘୁଆ କିମ୍ବା ଖରାଟିଆ ରହିବ । ଭୁବନେଶ୍ୱର ସମେତ ବାକି ଅଞ୍ଚଳର ଅଧିକାଂଶ ସ୍ଥାନରେ ମେଘୁଆ ସହ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଫୁଲବାଣୀ, କଳାହାଣ୍ଡି, ସୋନପୁର ଓ ବଲାଙ୍ଗୀରରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ୧୫ ମିମିରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଧିକ । ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ବଢ଼ିବ ଏବଂ ପାଗ କୋହଲା ରହିବ ।


