ରାଫେଲ୍ ଚୁକ୍ତି ବିବାଦ ଟିକସ ଛାଡ଼ ସୁବିଧା ପାଇଥିଲେ ଅନୀଲ ଅମ୍ବାନୀ
ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ ଟେଲିକମ୍ କମ୍ପାନୀ ଆଟଲାଣ୍ଟିକ୍ ଫ୍ଲାଗ୍ ଉପରେ ଥିବା ୧୬୨.୬ଠ ମିଲିୟନ୍ ଡଲାରର ବକେୟା ଟିକସ ମଧ୍ୟରୁ ୧୪୩.୭ ମିଲିଅନ୍ ଡଲାରକୁ ଫରାସୀ କର୍ତ୍ତୃପକ୍ଷମାନେ ଛାଡ଼ କରିଥିବା ସମ୍ପର୍କୀତ ଏକ ରିପୋର୍ଟ ସେଠାକାର ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି । ୩୬ଟି ରାଫେଲ ଯୁଦ୍ଧବିମାନ କିଣିବା ନେଇ ଫ୍ରାନ୍ସ ସହିତ ଚୁକ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଠ୧୫ରେ ପ୍ୟାରିସ୍ ଠାରେ ଘୋଷଣା କରିବାର ୬ ମାସ ପରେ ଅନୀଲ ଅମ୍ବାନୀଙ୍କ ବକେୟା ଟିକସ ଛାଡ଼ କରାଯାଇଥିବା କଥା ରିପୋର୍ଟ ଦର୍ଶାଇଛି । ପ୍ରାପ୍ତ ସୂଚନାନୁସାରେ ୨ଠ୧୫ ଅକ୍ଟୋବର ୨ଠରେ ଭାରତ ଓ ଫ୍ରାନ୍ସସ୍ଥିତ ଡାସଲ୍ଟ ଆଭିଏସନ୍ ରାଫେଲ୍ ରାଜିନାମା ସଂକ୍ରାନ୍ତରେ ବୁଝାମଣା କରୁଥିବା ସମୟରେ ଟିକସ ବିବାଦ ତୁଟିଥିଲା । ଏହାର ଅଳ୍ପ କେତେ ମାସ ପୂର୍ବରୁ ଏପ୍ରିଲ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ସରକାରୀ ଗସ୍ତରେ ଫ୍ରାନ୍ସ ଯିବା ସମୟରେ ଘୋଷଣା କରିଥିଲେ ଯେ ଫରାସୀ କମ୍ପାନୀ ଦାସଲଟ୍ ଠାରୁ ଭାରତ ୩୬ଟି ପୂର୍ଣ୍ଣ ର୍ନିମିତ ରାଫେଲ୍ ଲଢୁଆ ବିମାନ ଖରିଦ କରିବ ।
୨ଠଠ୭ ରୁ ୨ଠ୧ଠ ମଧ୍ୟରେ ପ୍ରାୟ ୬ଠ ମିଲିୟନ୍ ୟୁରୋ ଟିକସ ବାକି ପଡ଼ିଛି ବୋଲି ଅନୀଲ ଅମ୍ବାନୀଙ୍କ କମ୍ପାନୀରେ ଫରାସୀ ଟିକସ କର୍ତ୍ତୃପକ୍ଷମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ । ରିଲାଏନ୍ସ ଫ୍ରାନ୍ସ୍ ଟିକସ ବାବଦରେ ୭.୬ ମିଲିୟନ୍ ୟୁରୋ ଦେବାକୁ କହିଥିଲା, କିନ୍ତୁ ଫରାସୀ କର୍ତ୍ତୃପକ୍ଷମାନେ ଏହାକୁ ଅଗ୍ରାହ୍ୟ କରିବା ସହ ଆଉ ଥରେ ଅନୁସନ୍ଧାନ କରିଥିଲେ ଏବଂ ଏହି ସମୟ ମଧ୍ୟରେ ଫରାସୀ କର୍ତ୍ତୃପକ୍ଷମାନେ ପୁଣି ଏକ ଅନୁସନ୍ଧାନ କରି ଅନୀଲ ଅମ୍ବାନୀଙ୍କ କମ୍ପାନିକୁ ଆହୁରି ଅତିରିକ୍ତ ୯୧ ମିଲିୟନ୍ ୟୁରୋ ଟିକସ ଦେବାକୁ କହିଥିଲେ ବୋଲି ରିପୋର୍ଟ ଦର୍ଶାଇଛି । ପ୍ରକାଶ ଯେ, ଫ୍ରାନ୍ସ୍ଥିତ ଡାସଲ୍ଟ ସହ ରାଫେଲ୍ ରାଜିନାମା କଥା ଏପ୍ରିଲ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କଲେ । ପ୍ରଧାନମନ୍ତ୍ରୀ ଏ କଥା ଘୋଷଣା କରିବା ସମୟରେ ରିଲାଏନ୍ସ୍ ଉପରେ ଫ୍ରାନ୍ସର ଅନ୍ୟୂନ ୧୫୧ ମିଲିୟନ୍ ୟୁରୋ ଟିକସ ବାକି ପଡ଼ିଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ରାଫେଲ୍ ଘୋଷଣା କରିବାର ମାତ୍ର ୬ମାସ ମଧ୍ୟରେ ଫରାସୀ ଟିକସ କର୍ତ୍ତୃପକ୍ଷମାନେ ଅମ୍ବାନୀଙ୍କ ଉପରୁ ୧୪୩. ୭ ମିଲିୟନ୍ ୟୁରୋ ଟିକସ ଛାଡ଼ କରି ମାତ୍ର ୭. ୩ ମିଲିୟନ୍ ୟୁରୋ ଗ୍ରହଣ କରିଥିଲେ ।


