ଅଣ୍ଡା ପରି କୁକୁର
ବ୍ୟସ୍ତ ଜୀବନ ଭିତରେ ପୋଷା ଜୀବଜନ୍ତୁଙ୍କ ସହ କିଛି ସମୟ ବିତାଇଦେଲେ ବେଶ୍ ହାଲୁକା ଲାଗିଥାଏ । କେହି କେହି ସଉକ୍ରେ ପୋଷା ଜୀବଜନ୍ତୁ ରଖନ୍ତି । ଆଉ ତାଙ୍କୁ ବିଭିନ୍ନ ପ୍ରକାର ସଜାଇ ଆନନ୍ଦ ପାଆନ୍ତି । ଏଥିପାଇଁ ଅନେକେ ସେମାନଙ୍କୁ ଆନିମଲ୍ ଗ୍ରୁମିଂ ସେଣ୍ଟର ନେଇଥାଆନ୍ତି । ନିକଟରେ ସେମିତି ଏକ ପୋଷା କୁକୁର ପାଲଟିଛି ଚର୍ଚ୍ଚାର କାରଣ । କାହିଁକି ନା’ ତାକୁ ଏଭଳି ଗ୍ରୁମିଂ କରାଯାଇଛି ଯେ, ସେ ଦେଖିବାକୁ ପୂରାପୂରି ଅଣ୍ଡା ଭଳି ଲାଗୁଛି । ଫ୍ରି ଲାନ୍ସର ଗ୍ରୁମର୍ ଆଣ୍ଡ୍ରିଆ ଅବ୍ରେ ସିମ୍, ସିଙ୍ଗାପୁରର ପମ୍ ପମ୍ ନାମକ ଏହି କୁକୁରର ଲୋମକୁ କାଟି ଏକ ବଡ ଅଣ୍ଡାର ଆକାର ଦେଇଛନ୍ତି । ସେଥିପାଇଁ କୁକୁରଟି “ଏଗ୍ ଡଗ୍’ ଭାବେ ପରିଚିତ ହେଉଛି । ତା’ର ଫଟୋ ଏଭଳି ଆଙ୍ଗେଲ୍ରୁ ଉଠାଯାଇଛି ଯେ, ପଛଭାଗଟି ଦେଖାଯାଇ ନ ଥାଏ । ଆଉ ସାମ୍ନା ଭାଗଟି ସମ୍ପୂର୍ଣ୍ଣ ଭାବେ ଅଣ୍ଡା ପରି ଦେଖାଯାଏ । ତେବେ ଏହି ଲୁକ୍ ଦେବା ପାଇଁ ଆଣ୍ଡ୍ରିଆ ପ୍ରଥମେ ପମ୍ପମ୍କୁ ଗାଧାଇଦେଲେ । ଏହା ପରେ ଭଲଭାବେ ତା’ର ଲୋମକୁ ମସାଜ୍ କଲେ । ଯେମିତିକି ଲୋମ ସବୁ ଉପରକୁ ଉଠି ଫୁଲୁକା ହୋଇ ରହିବ । ପରେ ଲୋମକୁ ସେ କାଟି ଅଣ୍ଡାର ଆକୃତି ଦେଇଥିଲେ । ଗ୍ରୁମିଂ ସମୟରେ ପମ୍ପମ୍ ବେଶ୍ ସହଜ ଥିଲା ଓ ଗ୍ରୁମିଂକୁ ଉପଭୋଗ କରୁଥିଲା । ସରିବା ପରେ ସେ ଏକ ସୁନ୍ଦର ସ୍ମାଇଲ୍ ବି ଦେଇଥିଲା । ଫଳରେ ଗ୍ରୁମିଂ ସମୟର ଭିଡିଓ ଭାଇରାଲ ହୋଇଗଲା ।


