ମର୍ଯ୍ୟାଦା ପୁରୁଷଙ୍କ ଜନ୍ମୋତ୍ସବ
ବୋଲଗଡ଼(ଜୁଗାବ୍ଦ ନ୍ୟୁଜ୍): ବୋଲଗଡ଼ ବ୍ଲକ ସଦର ମହକୁମା ସମେତ ପୁରପଲ୍ଲୀରେ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହି ଅବସରରେ ଯୋଡାପଡା ଠାରେ ଥିବା ରାମମନ୍ଦିର ହୋଇଉଠିଛି ଉତ୍ସବମୁଖର । ବିଶ୍ୱର କଲ୍ୟାଣ ନିମନ୍ତେ ସମୁହ ଦୀପଦାନ କରିଛନ୍ତିି ଯୁଗପୁରୁଷ ଶ୍ରୀରାମପ୍ରେମୀ । ଏହି ଉପଲକ୍ଷେ ଦିନ ତମାମ ସାଂସ୍କୃତିକ କାର୍ଯ୍ୟ ଚାଲିଥିବାବେଳେ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଷ୍ଟର କଲୋନୀସ୍ଥିତ ରାମମନ୍ଦିରରେ ସକାଳୁ ଭକ୍ତଙ୍କର ଭିଡ଼ ଲାଗିଥିଲା । ସେଠାରେ ପ୍ରତିବର୍ଷ ମୃଣୟୀ ଭଗବାନ ଶ୍ରୀରାମ, ମାତା ସୀତା,ଅନୁଜ ଲକ୍ଷ୍ମଣ ଓ ପରମଭକ୍ତ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଗଡଭିତରସାହି ରାମଲୀଳା କୋଠିରେ ପୂଜାର୍ଚ୍ଚନା କରାଯାଇ ମାସାଧିକ ଧରି ପାଠ କରିବାକୁ ଥିବା ଅନଙ୍ଗ ନରେନ୍ଦ୍ର ରଚିତ ସାତକାଣ୍ଡ ରାମାୟଣର ପ୍ରଥମ ଅଧ୍ୟାୟର ରାମନବମୀ ତିଥୀରେ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ କପାସିଆ, ବାଙ୍କୋଇ ଓ ଗୋପାଳିପଡା ଆଦି ଗ୍ରାମରେ ପ୍ରଭୁ ରାମଚନ୍ଦ୍ରଙ୍କ ଚରିତ୍ର ରାମଲୀଳାର ଶୁଭଖୁଣ୍ଟି ଲଗାଯାଇ ରାମଲୀଳାପର୍ବ ଆରମ୍ଭ ହୋଇଛି । ରାମଲୀଳା ଗାଦିମାନଙ୍କରେ ଭଗବାନ ଶ୍ରୀରାମଙ୍କର ଲୀଳା ନାଟକ ମାଧ୍ୟମରେ ମାସାଧିକ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ କରାଯିବ ।


