୨୩ରେ ସାଧାରଣ ନିର୍ବାଚନ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ପୁରୀ(ବ୍ୟୁରୋ): ପୁରୀ ଜିଲ୍ଲାରେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ରବିବାର ପୁରୀ ସର୍କିଟ୍ ହାଉସ୍ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ସୂଚନା ଦେଇଛନ୍ତି ଯେ, ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ସଜାଗ ରହିଛି । ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକ ପହଞ୍ଚିସାରିଛନ୍ତି । ୧୭ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ଥିବା ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଜିଲ୍ଲାରେ ୪, ନୟାଗଡ଼ ଜିଲ୍ଲାରେ ୨ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ନିର୍ବାଚନମଣ୍ଡଳୀ ରହିଛି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରେ ଅଛନ୍ତି ୧୫ଲକ୍ଷ ୨୫ ହଜାର ୬୯୮ ଭୋଟର । ଇଭିଏମ୍ ଓ ଭିଭିପ୍ୟାଟ୍ ପ୍ରଥମ ଓ ଦ୍ୱିତୀୟ ରାଣ୍ଡମାଇଜେସନ୍ କରାଯାଇଛି । ପୋଲିଂ ଅଫିସରଙ୍କୁ ଏସ୍ସିଏସ୍ କଲେଜ ଓ ଜିଲ୍ଲା ସ୍କୁଲରେ ତାଲିମ ଦିଆଯାଉଛି । ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ଓ ପୁରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ପୋଲିଂ ପାର୍ଟିମାନଙ୍କୁ ଆସନ୍ତା ୨୧ ତାରିଖରୁ ବୁଥ୍ଙ୍କୁ ପଠାଯିବ । ପୁରୀ କେନ୍ଦ୍ରୀୟ ବିଦ୍ୟାଳୟଠାରେ ନିର୍ବାଚନରେ ନିୟୋଜିତ ପୋଲିଂ ପାର୍ଟିମାନଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି । ମହିଳା ପୋଲିଂ କର୍ମଚାରୀଙ୍କ ପାଇଁ ପ୍ରତି ବ୍ଲକ୍ରେ ସମସ୍ତ ସୁବିଧା ଓ ରହିବା ପାଇଁ ସଦର ମହକୁମାରେ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟଠାରେ ବିଭିନ୍ନ ନିର୍ବାଚନମଣ୍ଡଳୀକୁ ପଠାଇବା ପାଇଁ ଓ ନିର୍ବାଚନ ସାମଗ୍ରୀ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଦର୍ଶର୍ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠାରୁ ଜିଲ୍ଲାପ୍ରଶାସନ ଓ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫ୍ଲାଇଂସ୍କ୍ୱାଡ ଡେଲାଙ୍ଗ-କଣାସ ରାସ୍ତାରେ ଗତ ୮ ତାରିଖରେ ଏକ ଗାଡିରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ କରିଛି । ୧୦ ତାରିଖରେ କାକଟପୁରରେ ଏକ ଗାଡିରୁ ୧ଲକ୍ଷ ୫୦ ଟଙ୍କା ଜବତ କରାଯାଇଛି ଓ ୧୩ ତାରିଖରେ ପାଣିଛତ୍ରଠାରୁ ଏକ କାର୍ରୁ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛନ୍ତି । ତତ୍ ସହିତ ବିଭିନ୍ନ ରାଜନୈତିକ ବ୍ୟାନରକୁ ହଟାଇ ଦିଆଯାଇଛି । ପରେ ଏସ୍ପି ଉମାଶଙ୍କର ଦାସ କହିଥିଲେ, ପୁଲିସ ଓ ଅବକାରୀ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୫୧ ସ୍ଥାନରେ ଚଢାଉ କରାଯାଇଛି । ସେଥିମଧ୍ୟରୁ ୭୪ଟି ମାମଲା ହୋଇଥିଲା ବେଳେ ୬୫ ଜଣଙ୍କୁ ଗିରଫ କରାଯାଇଛି । ଗତ ୧୦ ତାରିଖରେ ସତ୍ୟବାଦୀ ବିଧାନସଭାମଣ୍ଡଳୀରେ ୪୦ଟି ସିଲିଣ୍ଡର ଗ୍ୟାସ ଜବତ କରିଛି । ରବିବାର କଣାସ ନିକଟସ୍ଥ ଚୁପୁରିଙ୍ଗ୍ ଠାରେ ଫ୍ଲାଇଂ ସ୍କ୍ୱାଡ ଏକ ଫ୍ରିଜ୍ ଓ ଗ୍ରାଇଣ୍ଡର ବୋଝେଇ ଟ୍ରକ୍ ଜବତ କରିଛନ୍ତି । ପୁଲିସ ପକ୍ଷରୁ ୫ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି ଓ ୧୪ ଜଣ ଅପରାଧିଙ୍କ ବିରୋଧରେ ଜାମିନ୍ ବିହୀନ୍ ଗିରଫ ପରୱାନା ଜାରି ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ