ଯେଉଁଠି ଲାଗେ ବରଙ୍କ ହାଟ
ପରିବା ହାଟ କଥା ସମସ୍ତେ ଜାଣିଥିବେ । ହେଲେ ବରଙ୍କ ହାଟକଥା ଶୁଣିଲେ ଟିକେ ଅଡୁଆ ଲାଗୁଥାଇପାରେ । କିନ୍ତୁ ଏହା ସତ । ଏହା ଆଉ କେଉଁଠି ନୁହେଁ, ବିହାରର ମଧୁବନୀ ଜିଲ୍ଲାରେ ଲାଗିଥାଏ । ଏଠାରେ ଥିବା ମୈଥିଳି ବ୍ରାହ୍ମଣ ପରିବାରର ପୁଅଙ୍କୁ ବର ବେଶରେ ସଜାଇ ସେମାନଙ୍କ ଭାଗ୍ୟ ପରୀକ୍ଷା କରାଯାଇଥାଏ । ୯ ଦିନ ଧରି ଚାଲୁଥିବା ଏହି ମେଳାରେ ବହୁ ସଂଖ୍ୟାରେ ବରପାତ୍ର ଯୋଗ ଦେଇଥାଆନ୍ତି । ସୌରଥସଭା ନାଁରେ ପ୍ରସିଦ୍ଧ ଏହି ମେଳା ଜ୍ୟେଷ୍ଠ-ଆଷାଢ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଆଉ ଏମାନଙ୍କୁ ବିବାହ କରିବା ଲାଗି କନ୍ୟା ଘରର ଲୋକେ କେବଳ ଦେଶ ନୁହେଁ, ବିଦେଶରୁ ମଧ୍ୟ ଏଠାକୁ ଧାଇଁ ଆସିଥାଆନ୍ତି । ଏଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି ସ୍ଥାନୀୟ ଜ୍ୟୋତିଷ । କଥା ହେଲା କନ୍ୟା ଘରର ଲୋକେ ଯେଉଁ ବରପାତ୍ରକୁ ପସନ୍ଦ କରନ୍ତି ତାଙ୍କର ୭ ପିଢ଼ି ଓ କନ୍ୟା ଘରର ସାତ ପିଢିର ହିସାବ ମାଗିଥାଆନ୍ତି ଜ୍ୟୋତିଷ । ଯେମିତି ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥାଏ । ଯଦି କୌଣସି ସମ୍ପର୍କ ମିଳିଥାଏ ତେବେ ସେହି ବରପାତ୍ରକୁ ପସନ୍ଦ କରିଥିବା କନ୍ୟାଘର ଲୋକେ ନିଜ କନ୍ୟାକୁ ସେଠାରେ ବିବାହ ଦେଇପାରନ୍ତିନାହିଁ । ଜ୍ୟୋତିଷଙ୍କ ମତରେ ଉଭୟଙ୍କ ମଧ୍ୟରେ ଯଦି ପୂର୍ବରୁ ସମ୍ପର୍କ ରହିଥିବ ତେବେ ରକ୍ତ ସମାନ ହୋଇଯିବ ଯାହା ଦମ୍ପତିଙ୍କ ପାଇଁ ଭଲ ନୁହେଁ । ବର ହାଟ ବସିବାର ପରମ୍ପରା ପ୍ରାୟ ୭ ଶହ ବର୍ଷ ପୂର୍ବର ହୋଇଥିବା ବେଳେ ୧୯୭୧ରେ ଏଠାରେ ପ୍ରାୟ ୧.୫ ଲକ୍ଷ ବରଙ୍କର ବିବାହ ହୋଇଥିବା କୁହାଯାଏ । ଏବେ କିନ୍ତୁ ଏହି ସଂଖ୍ୟା କମିଯାଇଥିବା କୁହନ୍ତି ସ୍ଥାନୀୟ ଲୋକେ ।


