ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନ ରାଜ୍ୟ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ରାଜ୍ୟ ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନ କମିଟିର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆବାହକ ସୁଧିର ସାବତଙ୍କ ଆହ୍ୱାନକ୍ରମେ ଜାତୀୟ ଆବାହକ ପି. ଭିକ୍ଟର ରାଜ ଓ ସଂସ୍ଥାପକ ଟି.ଡି ଏଡର ପ୍ରତିନିଧି ଓ କାର୍ଯ୍ୟକାରିଣୀ ସଭ୍ୟମାନେ ଉପସ୍ଥିତ ଥିଲେ । ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି ଓ ଏହାର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଓ ଆକଳନକୁ ପ୍ରତିବାଦ କରି ସାରା ରାଜ୍ୟରେ ପୁନଶ୍ଚ ସର୍ଭେ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ବାସ୍ତବିକ ଶିଶୁ ଶ୍ରମିକଙ୍କ ସମସ୍ୟାକୁ ଶିକ୍ଷା, ଶ୍ରମ ଓ ମହିଳା ଶିଶୁ ବିକାଶ ବିଭାଗର ସମ୍ମନ୍ୱୟ ଦ୍ୱାରା ପରିଚାଳନା କରାଯାଇ ଶିଶୁ ଶ୍ରମିକଙ୍କ ଚିହ୍ନଟ ଓ ପରେ ସେମାନଙ୍କୁ ଥଇଥାନ ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତୁତ କରିବା ସହ କାର୍ଯୟରତ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ସାମିଲ କରି ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ମତ ପ୍ରକାଶ ପାଇଥିଲା । ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ବୈଠକରେ ବରିଷ୍ଠ ସମାଜସେବୀ ରଣଜିତ୍ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ଆବାହକ ୬ ବର୍ଷ କାର୍ଯ୍ୟକାଳର ରିପୋର୍ଟ ପ୍ରଦାନ କରିଥିଲେ । ରାଜ୍ୟ ଆବାହକଙ୍କର ୬ ବର୍ଷ କାର୍ଯ୍ୟକାଳ ସମୟ ପୁରଣ ହୋଇଯାଇଥିବାରୁ ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନକୁ ବିଶେଷ ଭାବେ ତ୍ୱରାନ୍ନିତ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ପ୍ରତିଷ୍ଠିତ ସମାଜସେବୀ ଗୋପାଳକୃଷ୍ଣ କରଙ୍କୁ ନୂତନ ଭାବେ ରାଜ୍ୟ ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନର ରାଜ୍ୟ ଆବାହକ ଭାବେ ଭୋଟ୍ ମାଧ୍ୟମରେ ନିର୍ବାଚନ କରାଯାଇଛି । ଏଥିସହ ଆବାହକ ଭାବେ ଯାଜପୁର ଜିଲ୍ଲାର ହୃଷିକେଶ ପଣ୍ଡାଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଛି । ଏହି ସମ୍ମିଳନୀ ବୈଠକରେ ସାରା ଓଡିଶାର ୩୦ଟୁ ଜିଲ୍ଲାରୁ ସ୍ୱେଚ୍ଛାସେବୀ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ନିର୍ବାଚନ ପରେ ନୂତନ ଆବାହକ ଗୋପାଳ କୃଷ୍ଣ କରଙ୍କୁ ସ୍ୱାଗତ ଜଣାଇବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା ।


