ଦାୟିତ୍ୱ ଗ୍ରହଣ ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର- ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିଲାଗି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସମୀର ମହାନ୍ତି ବିଦାୟୀ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ଦାୟିତ୍ବ ନେଇଛନ୍ତି । ଏହି ସ୍ୱତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଏମଏସଏମଇ ଓ ପଶୁପାଳନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ତଥା ରାଜ୍ୟସଭା ସଦସ୍ୟ ଅରୁଣ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘଦିନ ଧରି ଏହି ପଦବୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଗୁରୁବାର ସହମତି ଭିତ୍ତିରେ ସମୀରଙ୍କ ନାମ ଘୋଷଣା କରାଯାଇଥିଲା । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫଳରେ ଭୋଟ ପ୍ରକ୍ରିୟାର କୌଣସି ଆବଶ୍ୟକତା ପଡ଼ି ନ ଥିଲା । ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ହେଲା ପରେ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଯାଇଛି । ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଦଳ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ । ଦୀର୍ଘ ୧୬ ବର୍ଷରେ ଉପକୂଳ ଓଡ଼ିଶାର ନେତାଙ୍କୁ ସଭାପତି ପଦ ଦିଆଯାଇଥିବାରୁ ରାଜ୍ୟ ରାଜନୀତିରେ ବିଜେପିର ରଣନୀତି ଉପରେ ଏବେ ସବୁ ଦଳର ତୀକ୍ଷ୍ଣ ନଜର ରହିଛି । ରାଜ୍ୟରେ କଂଗ୍ରେସକୁ ପଛକୁ ଠେଲି ବିଜେପି ମୁଖ୍ୟ ବିରୋଧୀ ଦଳକୁ ଆସିବା ପରେ ସଂଗଠନକୁ ଦୃଢ଼ କରିବାକୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚାଲୁ ରହିଛି ।


