ଚଇତ୍ର ମାସର ଘୋଡ଼ା ନାଚ
ବିପିନ ବିହାରୀ ମହାନ୍ତି
ଚୈତ୍ର ମାସଟି ବର୍ଷର ଶେଷ ମାସ । ଏହି ମାସଟି ପର୍ବପର୍ବାଣୀରେ ଭରପୁର । ବିଶେଷକରି ବାସନ୍ତୀକା ଦୁର୍ଗୋତ୍ସବ, ମଙ୍ଗଳା ଓଷା, ହିଙ୍ଗୁଳା ଯାତ୍ରା, ଝାମୁ ଯାତ୍ରା, ପନ୍ଥେଇ ପୂଜା, ଅଶୋକାଷ୍ଟମୀ, ରାମନବମୀ, ମହାବିଷୁବ ସଂକ୍ରାନ୍ତି ଏବଂ ସର୍ବୋପରି ଚଇତି ପର୍ବ ଅର୍ଥାତ୍ ଚୈତ୍ର ପୂର୍ଣ୍ଣିମାର ପର୍ବ ଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚିତ୍ରା ନକ୍ଷତ୍ର ଦୃଷ୍ଟିରୁ ଚରିତ୍ର ମାସର ନାମ ଚଇତ୍ର ଏବଂ ଚଇତ୍ର ପୂର୍ଣ୍ଣିମାର ନାମ ଚୈତ୍ର ପୂର୍ଣ୍ଣିମା । ଅନ୍ୟ ଦୃଷ୍ଟିରୁ ଚୈତ୍ର୍ର ପୂର୍ଣ୍ଣିମା ବାସେଳି ଠାକୁରାଣୀଙ୍କର ଜନ୍ମଦିବସ ।
ଚୈତ୍ର ପୂର୍ଣ୍ଣିମା ଉପକୂଳ ଅଂଚଳର କୈବର୍ତ୍ତ୍ୟ ବା କେଉଟ ମାନଙ୍କର ଏକ ପ୍ରଧାନ ପୂଜା । କେଉଟମାନଙ୍କର ଇଷ୍ଟଦେବୀ ବାସେଳି ଠାକୁରାଣୀ । ସେମାନେ ଚୈତ୍ର ପୂର୍ଣ୍ଣିମା ଦିନ ଏହି ଇଷ୍ଟଦେବୀଙ୍କୁ ଜାକଜମକରେ ପାଳନ କରନ୍ତି । ଏହି ଦିନ ଠାରୁ ଅଶ୍ୱମୁଖୀ ବାସେଳିଙ୍କୁ ପ୍ରାୟ ଆଠଦିନ ଧରି ପୂଜା କରାଯାଏ । କିନ୍ତୁ ଏହାଙ୍କୁ କେନ୍ଦ୍ର କରି ଚଇତି ପର୍ବର ନାଚ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲୁ ରହେ ।
କେଉଟମାନେ ଦୁଇଭାଗରେ ବିଭକ୍ତ । ଯଥା- ମାଛମରା କେଉଟ ଏବଂ ଚୂଡ଼ାକୁଟା କେଉଟ । ମାଛମରା କେଉଟମାନେ ବିଶେଷକରି ଉପକୂଳ ଅଞ୍ଚଳରେ ସମୁଦ୍ର, ହ୍ରଦ ବା ନଈକୂଳରେ ବସବାସ କରୁଥିବା ବେଳେ ଚୂଡ଼ାକୁଟା କେଉଟମାନେ ଓଡ଼ିଶାର ବିଭିନ୍ନ ଅଂଚଳରେ ବିଚ୍ଛିନ୍ନ ଭାବରେ ବାସ କରନ୍ତି । ମାଛମରା କୈବର୍ତ୍ତ ବା କେଉଟମାନେ ବାସେଳି ଏବଂ ନାଆକୁ ପୂଜା କଲାବେଳେ ଚୂଡ଼ାକୁଟା କେଉଟମାନେ ଢ଼ିଙ୍କିକୁ ପୂଜା କରନ୍ତି ।
ଏହି ବାସେଳି ପୂଜା ରାମଚନ୍ଦ୍ରଙ୍କ ସମୟରୁ କେଉଟମାନେ ପୂଜା କରିଆସୁଛନ୍ତି । ପୁରାଣ ଅନୁସାରେ ରାମଚନ୍ଦ୍ରଙ୍କୁ ନାଆରେ ଅଜ୍ଞାନ ଅଥଚ ବିଜ୍ଞାନୀ କେଉଟ ନଈ ପାରିକରିଦେବା କାହାଣୀକୁ ଏହି ବାସେଳି ପୂଜାର ଆରମ୍ଭ । ସେଦିନ କୈବର୍ତ୍ତ ରାମଚନ୍ଦ୍ରଙ୍କୁ ନଦୀପାର କରିଥିବା ହେତୁ ରାମଚନ୍ଦ୍ର ଖୁସିରେ କୈବର୍ତ୍ତଙ୍କୁ ଗୋଟିଏ ଘୋଡା ଉପହାର ଦେଇଥିଲେ । ଯାହାର ନାମ ଥିଲା ବାସେଳି । ସେବେଠୁ ଏହି ବାସେଳିଙ୍କ ପୂଜା ଚାଲେ । ଚୂଡ଼ାକୁଟା କେଉଟମାନଙ୍କର ଆରାଧ୍ୟ ଦେବୀଙ୍କୁ କୁହାଯାଏ ଆଶିନୀ ବାସେଳି । ଯାହାକୁ ସେମାନେ ଢ଼ିଙ୍କି ରୂପେ ପୂଜା କରନ୍ତି । ମୋଟ୍ ଉପରେ କେଉଟମାନେ ବାସେଳି, ନାଆ ଓ ଢ଼ିଙ୍କିକୁ ପୂଜା କରନ୍ତି । ଅଶ୍ୱ ହେଉଛି ବାସେଳିଙ୍କର ସଙ୍କେତ । ନାବ ବା ନାଆ ହେଉଛି ବିଶ୍ୱକର୍ମାଙ୍କ ସଙ୍କେତ ଓ ଢ଼ିଙ୍କି ହେଉଛି ମହାଲକ୍ଷ୍ମୀଙ୍କ ସଙ୍କେତ ।
ଚଇତି ପର୍ବରେ ସାଧାରଣତଃ କେଉଟମାନେ ନୂଆ ବସ୍ତ୍ର ପରିଧାନ କରନ୍ତି ଏବଂ ଆରାଧ୍ୟ ଦେବଦେବୀମାନଙ୍କୁ ପୂଜା କରନ୍ତି । ଘରେ ସୁମିଷ୍ଟ ଖାଦ୍ୟପେୟ ପ୍ରସ୍ତୁତ ହୋଇଥାଏ ।
ଘୋଡ଼ାନାଚରେ ଘୋଡ଼ା ନଚାଯାଏ । ଘୋଡ଼ାର ଶରୀରଟି ବାଉଁଶର ଛାଞ୍ଚରେ ତିଆରି ଏବଂ ମୁଣ୍ଡଟି କାଠର ତିଆରି । ଯେଉଁ ବାଉଁଶରେ ଛାଞ୍ଚ ତିଆରି କରାଯାଏ ତାହା ଏକ ନିଖୁଣ ବାଉଁଶ ହୋଇଥିବ । ତାକୁ ଶିବଙ୍କ ନାମରେ ପାଣିପଣା, ଛେନା ଇତ୍ୟାଦିରେ ପୂଜା କରି ହଣାଯାଏ । ସେ ହଣା ବାଉଁଶରୁ ପାର୍ବତୀଙ୍କ ନାଁରେ ବତା ପ୍ରସ୍ତୁତ ହୁଏ ଏବଂ ମୁଣ୍ଡଟି ବ୍ରହ୍ମାଙ୍କ ନାମରେ ଯୋଡ଼ାଯାଏ । ଏହାପରେ ସମସ୍ତ ଶରୀରକୁ ରଙ୍ଗୀନ୍ କନାରେ ସଜ୍ଜିତ କରାଯାଏ ଏବଂ ତା’ ଭିତରେ ଘୋଡ଼ାକୁ ମୁଣ୍ଡାଇ ନଚାଇବା ନିମନ୍ତେ ଦୁଇଜଣ ନାଟୁଆ ନଚେଇବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଥାଏ । ସେମାନେ ମୁଣ୍ଡରେ ଠେକା ଭିଡ଼ି ବା କନା ଭିଡ଼ି ତା’ ଭିତରେ ପଶି ଘୋଡ଼ାଟିକୁ ଗୀତ ବା ବାଦ୍ୟର ତାଳେ ତାଳେ ନଚାନ୍ତି ।
ସାଧାରଣତଃ ଘୋଡ଼ାନାଚରେ ଅତି କମ୍ରେ ଦଶଜଣ ଲୋକଙ୍କର ଆବଶ୍ୟକତା ଥାଏ । ସେଥିରୁ ଘୋଡ଼ା ନଚାଇବା ଦୁଇଜଣ, ଘୋଡ଼ାନାଚ ଗୀତ ଗାଇବା ଜଣେ ବା ତହିଁରୁ ଅଧିକ, ଯୋଡ଼ି ମହୁରୀ, ଯୋଡ଼ି ନାଗରା, ତଡ଼କା ଓ ଢ଼ୋଲ ବଜାଇବା କିଛି ଲୋକ ଏବଂ ଆଉ କିଛି ସାହାଯ୍ୟକାରୀ ଲୋକ ସଂଶ୍ଲିଷ୍ଟ ଥାନ୍ତି । ଏହି ନାଚରେ ଅନ୍ୟାନ୍ୟ ପୁରାଣ ଶାସ୍ତ୍ର ପରି ବନ୍ଦନା, ମଙ୍ଗଳାଚରଣ ଏବଂ ଅନ୍ୟାନ୍ୟ କିମ୍ବଦନ୍ତୀ ସମ୍ବଳିତ କାହାଣୀ, ଘୋଡ଼ାର ବର୍ଣ୍ଣନା, ସାମାଜିକ ପରିପ୍ରେକ୍ଷୀରେ ବିଭିନ୍ନ ଜନସଚେତନତା ମୂଳକ କାହାଣୀମାନ ବର୍ଣ୍ଣିତ ହୋଇଥାଏ । ବିଶେଷକରି ଅଚ୍ୟୁତାନନ୍ଦ ଦାସଙ୍କ କୈବର୍ତ୍ତ୍ୟ ଗୀତାର କାହାଣୀ ଘୋଡ଼ା ନାଚରେ ବର୍ଣ୍ଣିତ ହୋଇଥାଏ । ଏ ସମସ୍ତ କାହାଣୀ ପ୍ରଶ୍ନୋତ୍ତର ମାଧ୍ୟମରେ ଚାଲେ । ଏହି ପ୍ରଶ୍ନୋତ୍ତର ପାଇଁ ଯୋଡ଼ା ଯୋଡ଼ା କାରକ ବା କଳାକାର ଥାନ୍ତି । ଯେଉଁମାନଙ୍କୁ ଆମେ କହୁ ଚଢ଼େଇୟା ଓ ଚେଢ଼ୟାଣି, ରାଉତ ଓ ରାଉତୟାଣି ଏବଂ ଶବର ଓ ଶବରୁଣୀ । ଗୀତର ଛନ୍ଦେ ଛନ୍ଦେ ବାଦ୍ୟର ତାଳେ ତାଳେ ଏ ନାଚ ବେଶ୍ ମନମୁଗ୍ଧକର । ଏହା ନିଜ ଗ୍ରାମ ମଧ୍ୟରେ ସୀମାବଦ୍ଧ ନରହି ଗାଁରୁ ଗାଁକୁ ବୁଲି ବୁଲି ପରିବେଷଣ କରାଯାଇଥାଏ । ଏହା ଖାଲି ଭାରତ ନୁହେଁ ଉକ୍ରଳୀୟ ସଂସ୍କୃତିର ଏକ ପରମ୍ପରାଗତ ଚଳଣୀ । ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଏକମାସ ପର୍ଯ୍ୟନ୍ତ ଏ ଉତ୍ସବ ଚାଲିଥାଏ ।
କେଉଟମାନଙ୍କର ଘୋଡ଼ାନାଚ ଉପକୂଳବର୍ତ୍ତୀ ଅଞ୍ଚଳରେ ସୀମାବଦ୍ଧ ଥିବା ବେଳେ ଏହି ଚୈତ୍ର ପୂର୍ଣ୍ଣିମାକୁ ନେଇ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ମଧ୍ୟ ଚଇତି ପର୍ବ ପାଳନ କରାଯାଏ । ଏହା ମଧ୍ୟ ଦୀର୍ଘଦିନ ଧରି ଚାଲେ । ତେବେ ଏହି ପାଳନର ଭିନ୍ନତା ଏହି ଯେ ଆଦିବାସୀମାନେ ଏହି ଅବସରରେ ଜଙ୍ଗଲକୁ ଶୀକାର କରି ଯାଆନ୍ତି । ଶୀକାର ଲବ୍ଧ ପଶୁପକ୍ଷୀମାନଙ୍କର ମାଂସକୁ ଗାଁର ପ୍ରତିଟି ଘରେ ବଣ୍ଟରା ଉଣ୍ଟରାରେ ପହଞ୍ଚାଇ ଦିଆଯାଏ ଏବଂ ଚଇତି ପର୍ବ ପାଳନ କରାଯାଏ । ଭିନ୍ନ ଏକ ବିଶେଷତ୍ୱ ଏହି ଯେ ଆଦିବାସୀ ଅଞ୍ଚଳର ଅବିବାହିତ ପୁଅ ଝିଅମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥାଏ । ସେମାନେ ଏହି ପର୍ବରେ ଦଳ ଦଳ ହୋଇ ବିଭିନ୍ନ ଗାଁ ଗଣ୍ଡା ବୁଲି ଆଦିବାସୀଙ୍କ ନୃତ୍ୟ ଓ ବାଦ୍ୟରେ ମସ୍ଗୁଲ ହୋଇ ନାଚନ୍ତି ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ଭାବି ପତି ଓ ପତ୍ନୀଙ୍କୁ ମନୋନୀତ କରିଥାନ୍ତି । ଏହି ଜିନିଷଟି ସଭ୍ୟ ବୋଲାଉଥିବା ସମାଜ ଭିତରେ ନାହିଁ ଯଦିଓ ଭିନ୍ନ ଏକ ପ୍ରେମବିବାହ ଆକାରରେ ସମ୍ବୋଧିତ ହୋଇଥାଏ ।
ଚଇତି ପର୍ବ ବା ଚୈତ୍ରମାସର ଘୋଡ଼ାନାଚର ପୃଷ୍ଠଭୂମିରେ ଧାର୍ମିକ ଏବଂ ସାମାଜିକ ପରମ୍ପରା ନିଶ୍ଚିତ ଭାବରେ ନିହିତ ଅଛି । ସମାଜ ଏବଂ ସଂସ୍କୃତି ଭିତରେ ଆମେ ପ୍ରତିଟି ପାହାଚ ଉଠି ଆଗକୁ ମାଡ଼ି ଚାଲିଥିବାରୁ ପଶ୍ଚାତ ଲୋକନ ବା ଅବଲୋକନ ଆଜିର ସମାଜ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା