ଉପଖଣ୍ଡ ସ୍ତରୀୟ କମିଟି ଦ୍ୱାରା ଗ୍ୟାସ ଗୋଦାମ ହଟାଇବା ଦାବିର ତଦନ୍ତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ବିଦ୍ୟାଧରପୁର ଠାକୁର ପାଟଣା ବସ୍ତି ଭିତରେ ରହିଥିବା ବିଦ୍ୟାଧରପୁର ଇଣ୍ଡେନ ଗ୍ୟାସ ଗୋଦାମ ଘରକୁ ହଟାଇବାକୁ ଗ୍ରାମବାସୀଙ୍କ ଦାବିପରେ ଆଜି ଉପଖଣ୍ଡ ସ୍ତରୀୟ କମିଟି ଦ୍ୱାରା ତଦନ୍ତ ଆରମ୍ଭ କରାଯାଇଛି । ଏହି କମିଟିରେ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ କିର୍ତ୍ତନ ବିହାରୀ ଓଝା, ଉପଖଣ୍ଡ ଯୋଜନାଣ ଅଧିକାରୀ ବୁଦ୍ଧଦେବ ଜେନା, ହାଟଡିହି ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ଘସିପୁରା ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ, ସୋସୋ ରାଜସ୍ୱ ନିରୀକ୍ଷକ ମାନସ ପରିଡା ପ୍ରମୁଖ ଉପସ୍ଥିତ ରହି ଇଣ୍ଡେନଗ୍ୟାସର ଗୋଦାମଘର ପରିଦର୍ଶନ କରିବା ସହିତ ବାଲିବରେଇ ସରପଞ୍ଚପ୍ରତିଭା ନାୟକ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର ନାୟକ, ବରିଷ୍ଠ ନାଗରିକ ଶତୃଘ୍ନ ପାତ୍ର, ଚିନ୍ତାମଣି ପାତ୍ର, ଗୋପାଳ ପଟ୍ଟନାୟକଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭିଯୋଗକୁ ଲିପିବଦ୍ଧ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଯେ ଉକ୍ତ ଗ୍ୟାସ ଗୋଦାମଘର ନିକଟରେ ବ୍ୟାଙ୍କ, ମନ୍ଦିର, ପଞ୍ଚାୟତ ଅଫିସ, ବସ୍ତି ଓ ଦୋକାନବଜାର ରହିଥିବାରୁ କୌଣସି ଅଘଟଣର ଘଟିଲେ ଧନଜୀବନ ହାନୀ ହେବାର ଆଶଙ୍କା ରହିଛି । ଏଣୁ ଗୋଦାମ ଘରକୁ ସ୍ଥାନାନ୍ତର କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଥିଲେ । ଏନେଇ ସୋସୋ ରାଜସ୍ୱ ନିରୀକ୍ଷକ ଗୋଦାମଘର ଠାରୁ ବ୍ୟାଙ୍କ, ବଜାର, ମନ୍ଦିର, ପଞ୍ଚାୟତ କାର୍ଯ୍ୟାଳୟ, ବସ୍ତି ଆଦିର ଦୁରତା ସମ୍ପର୍କରେ ରିପୋର୍ଟ ଦେବାପରେ ଆମେ ମିଳିତ ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବୁ ବୋଲି ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଓଝା ସୁଚନା ଦେଇଛନ୍ତି । ।


