ନେତାଜୀ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ପାଳନ କଲା ଫରୱାର୍ଡ଼ ବ୍ଲକ୍‌

ଭୁବନେଶ୍ୱର: : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ନେତାଜୀଙ୍କ ଦଳ “ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌” ପକ୍ଷରୁ ଏହି ଦିବସକୁ ସାରା ଦେଶରେ ଦେଶପ୍ରେମ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷିରେ ଆଜି ଭୁବନେଶ୍ୱର ରସୁଲ୍‌ଗଡ଼ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଦଳ ପକ୍ଷରୁ ମାଲ୍ୟାର୍ପଣ କରାଯାଥିଲା । ଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ କମ୍ରେଡ଼୍ ଦେବବ୍ରତ ବିଶ୍ୱାସଙ୍କ ସମେତ ଦଳର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ସମରଜିତ୍ ମହାନ୍ତି, ଅନିରୁଦ୍ଧ ମଲ୍ଲିକ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ଉପସ୍ଥିତ ଜନସାଧାରାଣଙ୍କୁ ଉଦ୍‌ବୋଧନ ଦେଇ ଫରୱାର୍ଡ଼ ବ୍ଲକ୍‌ର ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ଦେଶରେ ଗଣତାନ୍ତ୍ରିକ ପକ୍ରିୟାରେ ନିର୍ବାଚିତ ସରକାର ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ଅହରହ ଚେଷ୍ଟିତ । ଭାରତବର୍ଷର ମଣିଷ ଯେତେବେଳେ ଦରଦାମ୍ ବୃଦ୍ଧି, ବେକାରୀ, ଶିକ୍ଷାର ଅଭାବ, ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତାର ଅଭାବରେ ଜର୍ଜରିତ ଠିକ୍ ସେତିକି ବେଳେ ସେମାନଙ୍କ ସମସ୍ୟାର ସମାଧାନ କରିବାରେ ବ୍ୟର୍ଥ କେନ୍ଦ୍ର ସରକାର ଉପରୋକ୍ତ ସେମାନଙ୍କ ଗୁଡ଼ିକରୁ ସେମାନଙ୍କ ନଜର ହଟାଇବା ପାଇଁ ସେମାନଙ୍କୁ ଧର୍ମ ଏବଂ ଜାତି ନାମରେ ଭାଗ ଭାଗ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ଓ.ଏନ୍‌.ଆର୍‌.ସି. ଭଳି ସମ୍ବିଧାନ ବିରୋଧି ଆଇନକୁ କାର୍ଯ୍ୟକାରୀ କରାଇବା ପାଇଁ ଲାଗିଛନ୍ତି । “ଭାରତ ମାତାକି ଜୟ” ସ୍ଲୋଗାନ ଦେଇ ସଂଘ ପରିବାର ଓ ବିଜେପି ଦେଶର ଜନତାଙ୍କୁ ଭାଗ ଭାଗ କରି ନିଜସ୍ୱ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ ବ୍ୟସ୍ତ । ପରାଧିନ ଭାରତବର୍ଷରେ ବ୍ରିଟିଶ୍ ସରକାରର ପୃଷ୍ଠପୋଷକତାରେ ସଂଘ ପରିବାର ସେବେ ବି ଧର୍ମିୟ ରାଜନୀତିକୁ ଉସ୍‌କାଇ ଭାରତବର୍ଷକୁ ଭାଗ ଭାଗ କରି ବ୍ରିଟିଶ ସରକାରଙ୍କୁ ଅଧିକ ଦିନ ଭାରତବର୍ଷରେ ଶାସନ କରିବାର ସୁଯୋଗ ଦେଇଥିଲେ । ଆଜିବି ଅନୁରୂପ ଢ଼ଙ୍ଗରେ ଭାରତବର୍ଷର ସାର୍ବଭୌମତ୍ୱ, ସଂସ୍କୃତି ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଧ୍ୱଂସ କରୁଛି ବୋଲି ନିଜ ବକ୍ତବ୍ୟରେ ଶ୍ରୀ ବିଶ୍ୱାସ ଅଭିଯୋଗ କରିଥିଲେ । ଏହା ବିରୋଧରେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଫରୱାର୍ଡ଼ ବ୍ଲକ୍‌ର ସାଥୀମାନେ ଦେଶ ଓ ସମ୍ବିଧାନର ସୁରକ୍ଷା ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।
ଆଜି ଦିନ ତମାମ୍ ଫରୱାର୍ଡ଼ ବ୍ଲକ୍ ରାଜ୍ୟ କର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଦେଶପ୍ରେମ ଦିବସ ଭାବରେ ପାଳନ କରାଯାଇଛି । ପୂର୍ବାହ୍ନରେ ଦେଶପ୍ରେମ ଦିବସ ସମାରୋହ ଅବସରରେ ଫରୱାର୍ଡ଼ର ସାଥୀମାନେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଗଣ ଶପଥ ପାଠ କରିଥିଲେ । ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଯୁବ କଳାକାରମାନଙ୍କୁ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦେବବ୍ରତ ବିଶ୍ୱାସ, ସ୍ତମ୍ବକାର ତୁାଶାରକାନ୍ତ ଶତପଥୀ, ବିଘ୍ନେଶ୍ୱର ସାହୁ ପ୍ରମୁଖ ବକ୍ତବ୍ୟ ରଖିବା ସହ ପୁରସ୍କାର ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ