ବଜ୍ରପାତରେ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ
ବୁଗୁଡା (ଅନୀଲ କୁମାର ମହାରଣା) : ବୁଗୁଡା ତହସିଲ ଅନ୍ତର୍ଗତ ମାଣିତରା ଅଞ୍ଚଳରେ ମଇ ୧୨ ତାରିଖ ଦିନ ଅପରାହ୍ନରେ ବଜ୍ରପାତ ଘଟି ମାଣିତରା ଗ୍ରାମର ରମେଶ ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମାଣିତରା ଅଞ୍ଚଳରେ ମଇ ୧୨ ତାରିଖ ଦିନ ଅପରାହ୍ନ ପ୍ରାୟ ୩ ଘଣ୍ଟାରୁ ୪ ଘଣ୍ଟା ଯାଏ ଘଣ୍ଟାଏ ସମୟ ପର୍ଯ୍ୟନ୍ତ ଭୀଷଣ ଭାବେ ବଜ୍ରପାତ ଓ ବର୍ଷା ହେବା ଯୋଗୁଁ ବହୁ କ୍ଷତି ଘଟିଛି। ମାଣିତରା ଗ୍ରାମର ରମେଶ ଗୌଡ଼ ନିଜର ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ସହ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ଗାଈ ଓ ଛେଳି ଗୁଡିକ ଗଛ ତଳକୁ ଚାଲି ଯାଇଥିଲେ। ସେହି ସମୟରେ ଏକ ବଡ ଧରଣର ବଜ୍ରପାତ ଯୋଗୁଁ ଗୋଟିଏ ଗାଈ ଓ ଗୋଟିଏ ଛେଳି ମୃତ୍ୟୁବରଣ କରିଥିଲେ। ଗୋପାଳକ ରମେଶ ଗୌଡ଼ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି। ଏହା ସହ ତାମ୍ବୀରି ଗ୍ରାମର ଏକ ନଡ଼ିଆ ଗଛ ବଜ୍ରପାତରେ ଜଳି ଯାଇଥିବା ବେଳେ ଅନେକ ବିଦ୍ୟୁତ ପୋଲର ଇଂସୁଲେଟର ଫାଟି ଯାଇଥିବା ଯୋଗୁଁ ବିଦ୍ୟୁତ ଯୋଗାଣ କଟି ଅଞ୍ଚଳ ଅନ୍ଧାରରେ ରହିଅଛି। ବିଦ୍ୟୁତ ବିଭାଗ କର୍ମଚାରୀ ବୃନ୍ଦ ବିଦ୍ୟୁତ ଯୋଗାଣ ପାଇଁ ଚେଷ୍ଟା କରୁଥିବା ଜଣାପଡିଛି।