ଚାଷ ଜମି ଉପରେ ତଳକୁ ଝୁଲି ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଧାନ କଟା ମେସିନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ଯୋଗୁ ପ୍ରତିବର୍ଷ ଧାନ କଟା ସମୟରେ ଧାନକଟା ମେସିନ ଜଳି ଯାଉଥିବା ଦେଖାଯାଉଛି । ଚାଷ ଜମି ଉପରେ ୧୧ କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିବାରୁ ଧାନ କଟା ବେଳେ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଭଳି ଏକ ଦୁର୍ଘଟଣା ଘଟିଛି ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ହାଟଡିହୀ ବ୍ଲକ ଅଧିନ ତୁମ୍ଭାପଦୀ ଗ୍ରାମ ନିକଟରେ । ରବିବାର ପ୍ରାୟ ୨ଟା ବେଳେ ଉପରୋକ୍ତ ଗ୍ରାମ ନିକଟସ୍ଥ ଚାଷ ଜମିରେ ଧାନକଟା ମେସିନ ଧାନ କାଟୁଥିବା ବେଳେ ତଳକୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମେସିନ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ମେସିନ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ଛେନାପଦୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣାକୁ ନେଇ ଚାଷୀ ମାନେ ଭୟଭୀତ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସ୍ଥାନରେ ତଳକୁ ଝୁଲି ରହିଥିବା ବିଦ୍ୟୁତ୍ ତାରକୁ ଉପରକୁ ଉଠାଇବା ପାଇଁ ଚାଷୀମାନେ ବାରମ୍ବାର ଦାବୀ କରିଆସୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟିଲା ବୋଲି ଚାଷୀମାନେ କହିଛନ୍ତି । ପ୍ରକାଶ ଥାଉକି, ଗତ ୨୦୨୫ ଜାନୁଆରୀ ୧୦ରେ ବନ୍ତ ଥାନା ଅଧିନ ନିମପଲ୍ଲୀ ଠାରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ମେସିନ ଚାଳକ ଓ ସହାୟକ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହୋଇଥିଲେ । ବିଭିନ୍ନ ସ୍ଥାନରେ ଚାଷ ଜମି ଉପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ୧୧ କେଭି ବିଦ୍ୟୁତ୍ ତାର ଟଣା ଯାଇଥିବା ବେଳେ ଅନେକ ସ୍ଥାନରେ ତାହା ତଳକୁ ଝୁଲି ରହିଛି । ଫଳରେ ଚାଷ ମାନେ ବିପଦପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ କରୁଥିବା ଜଣାଯାଇଛି । ତେବେ ବିଦ୍ୟୁତ୍ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ