ରାସ୍ତାରେ ବେଆଇନ ବାଲି ଢ଼ାଳିବା ଯୋଗୁଁ ବଢ଼ୁଛି ଦୁର୍ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି
ହାଟଡିହି ,(ଓ୍ବାଇଏନଏସ) : ଅଣା -ସମଣା ଏବଂ ଓରାଳି- ଶାଳଣିଆଁ ରାସ୍ତାରେ ପ୍ରତିରାତିରେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ବେଳେ ରାସ୍ତା ଉପରେ ବାଲି ଜମି ରହିବା ଓ କେତେକ ସ୍ଥାନରେ ଗାଡିବାଲା ରାସ୍ତାକଡରେ ବାଲି ଢାଳିଦେଉ ଥିବାରୁ ବାଇକ ଆରୋହୀ ଓ ପଥଚାରୀଙ୍କ ପାଇଁ ବିପଦ ସାଜୁଛି। ବାଲି ପାଇଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ରାସ୍ତାରେ କୁଢ଼ କୁଢ଼ ବାଲି ଯୋଗୁଁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ଦୁର୍ଘଟଣା ପରେ ସରକାର ରାସ୍ତାରେ ଏପରି ବେଆଇନ ବାଲି ଢ଼ାଳିବା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଥିଲେ ବି ତାହା କେବଳ କାଗଜ କଲମରେ ସୀମିତ ରହି ଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟରୁ ବିଭିନ୍ନ ଜିଲାକୁ ବେଆଇନ୍ ଭାବେ ଶହ ଶହ ଟିପ ବାଲି ଚାଲଣ କରାଯାଉଛି। ପାଲ ଘୋଡ଼ା ଯାଉଥିଲେ ବି ଓଭର ଲୋଡିଂ ଆଣୁଥିବାରୁ ଗାଡ଼ିରୁ ବାଲି ଖସି ରାସ୍ତାରେ ଜମା ହୋଇରହୁଛି। ଖାଲି ସେତିକି ନୁହେଁ ଖଣି ବିଭାଗ ଚଢ଼ାଉ ବେଳେ ଅନେକ ଗାଡିବାଲା ରାସ୍ତା ଉପରେ ବାଲି ଅନଲୋଡ କରି ଦେଉଛନ୍ତି। ତାହା ମଧ୍ୟ ମାସ ମାସ ଧରି ସେମିତି ରାସ୍ତାରେ ପଡି ରହୁଛି। ଫଳରେ ସେହି ରାସ୍ତାରେ ଯାଉଥିବା ବାଇକ ଆରୋହୀ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ୟ ଅନେକ ସମୟରେ ସାଇକଲରୁ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଦୁଇଦିନ ତଳେ ଦୁଇଟି ଦୁର୍ଘଟଣାର ଶିକାର ହୋଇ ତିନିଜଣ ଆହତ ହୋଇଥିଲେ। ବାଲିରେ ବାଇକ ଚକ ସ୍ମିପ କରିଯିବାରୁ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିବା ସୂଚନା ମିଳିଛି। ହଉଛନ୍ତି। ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲଣ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି। ଯେଉଁ ଗାଡି ଗୁଡିକ ଧରା ପଡିବା ଭୟରେ ବାଲି ଢାଳି ପଳାଉଛନ୍ତି ପ୍ରଶାସନ ସେ ବାଲିକୁ ନିଲାମ କରିବାର ନିୟମ ଥିଲେବି ଏଠି ସେପରି କିଛି କରାଯାଉ ନଥିବାରୁ ପରବର୍ତ୍ତୀ ସମୟରେ ମାଫିଆ ମାନେ ସେ ବାଲିକୁ ଉଠାଇ ନେଇ ଆରାମରେ ବିକ୍ରି କରୁଛନ୍ତି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ଚମକ ମିଳୁଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବାଲି ଗାଡି ଚଳାଚଳ ଯୋଗୁଁ ବରାଙ୍ଗ, ଟୁକୁଣା, ରମ୍ପାସ, ଶାଳଣିଆଁ, ଓରାଳି, କଳିଗାଁ ଆଦି ବଜାରରେ ଦୋକାନୀମାନେ ମଧ୍ୟ ଧୂଳି ଧୂଆଁରେ ଅଣନିଶ୍ବାସୀ ହୋଇପଡୁଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରଶାସନ ତୁରନ୍ତ ବେଆଇନ ବାଲି ଚାଲଣ ଉପରେ ରୋକ ଲଗାଇବା ସହିତ ବେଆଇନ ଭାବେ ରାସ୍ତାରେ ବାଲି ଢାଳୁଥିବା ବ୍ୟକ୍ତି କିମ୍ବା ଟ୍ରକ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।


