ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା; ସଂଗ୍ରାମ କେଶରୀ ଓ ବିଦ୍ୟା ଭାରତୀଙ୍କ ବିରୋଧରେ ଚାଲିବ ମାମଲା

କଟକ, (ଓ୍ବାଇଏନଏସ): ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଅଦାଲତ ଝଟକା। ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାୟମ ରଖିଲେ ଓଡ଼ିଶା ହାଇକୋର୍ଟ।ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୁଦ୍ଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସେହିପରି ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୁଦ୍ଧରେ ହତ୍ୟା ମାମଲା ଚାଲିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହି ସମ୍ପର୍କିତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଏପରି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଗତ ୨୦୨୧ ଜୁଲାଇ ୧୨ ତାରିଖ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା କାରଣରୁ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟିଥିବା ନେଇ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ କେବଳ ନୋଟିସ ଜାରି କରି ତଦନ୍ତ ଶେଷ କରିଥିଲା କ୍ରାଇମବ୍ରାଞ୍ଚ। ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ବାପା ଅଭିରାମ।ଏଥିରେ ବୋହୁ ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍‌ଓଙ୍କ ସଂପୃକ୍ତି ରହିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ। ପାରଳାଖେମୁଣ୍ଡି SDJMଙ୍କ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ ଅଭିରାମ ମହାପାତ୍ର। ମାମଲାର ଶୁଣାଣି କରି ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ଆଧାରରେ ମାମଲା ଚଲାଇବା ପାଇଁ ନିର୍ଦେଶ ଦେଇଥିଲେ ତଳ କୋର୍ଟ। ତେବେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ହଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ବେହେରା। ଆଜି ଏହି ମାମଲାର ରାୟ ଆସିବା ସହ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ୨୦୨୧ ଜୁଲାଇ ୧୨ ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ରାତ୍ରି ସମୟରେ କିଛି କାଗଜପତ୍ର ପୋଡିବା ବେଳେ ସୌମ୍ୟରଞ୍ଜନଙ୍କ ଦୁର୍ଘଟଣାବଶତଃ ଶରୀରରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଏହି ଅଘଟଣ ଘଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନେଇନଥିଲେ। ଯାହାଫଳରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ। ଏସିଏଫଙ୍କ ମୃତ୍ୟୁ ପରେ ତାଙ୍କ ବାପା ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ। ହେଲେ ଅଭିଯୋଗ ନେଇ ଡିଏଫଓ ଓ ରୋଷେୟାଙ୍କ ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ନ ମିଳିପାରିବାରୁ ସେମାନଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ପ୍ରାୟ ୮୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅଭିଯୁକ୍ତମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଏସପି କହିଥିଲେ। ସୌମ୍ୟଙ୍କ ମୃତ୍ୟୁ କେବଳ ଏକ ଦୁର୍ଘଟଣା ବୋଲି ସ୍ପଷ୍ଟ କରିଥିଲା ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ। ମାତ୍ର ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବାବେଳେ ପତ୍ନୀ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା ନ କରିଥିବା ନେଇ ତାଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିଲା। ଏଥିସହ ଏତଲାରେ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ବାବଦରେ କୌଣସି ପ୍ରମାଣ ନଥିବା ସ୍ପଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ