ପରିବେଶ ନଷ୍ଟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ: ସୋଫିଆ

କଟକ, (ଓ୍ବାଇଏନଏସ): କଟକର ସୁସ୍ଥ ପରିବେଶ ପାଇଁ ସହରର ୫ଟି ବଡ଼ ନାଳ ସହ ପେଟାନାଳ ଠିକ୍‌ ଭାବେ ସଫା ହେବା ଉଚିତ। ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂଜୋନ୍, ଖାଲିସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରିବା ସହ ପରିବେଶ ନଷ୍ଟ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ କହିଛନ୍ତି। କଟକ ବିଜୁ ପଟ୍ଟନାୟକଛକସ୍ଥିତ ସାରଳାଭବନରେ ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସଙ୍କ ସଂଯୋଜନାରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିରଦୋସ କହିଛନ୍ତି ଯେ, ସହରର ପରିବେଶ ବିଗିଡ଼ିବାରେ ଲାଗିଛି। ସିଏମ୍‌ସି ଠିକ୍‌ରେ କାର୍ଯ୍ୟ କରୁ ନଥିବାରୁ ହାଇକୋର୍ଟ ବାରମ୍ବାର ହସ୍ତକ୍ଷେପ କରୁଛନ୍ତି। ସହରର ପରିମଳ ପରିଚାଳନା ପାଇଁ ଏଜେନ୍ସି କାର୍ଯ୍ୟ କରୁଛନ୍ତି। କିନ୍ତୁ ସେହି ଏଜେନ୍‌ସି ଭୁବନେଶ୍ବର ପୌର ନିଗମ(ବିଏମ୍‌ସି)ରେ ଠିକ୍‌ଭାବେ କାର୍ଯ୍ୟ କରୁଥିବା ବେଳେ ସିଏମ୍‌ସିରେ କ’ଣ ପାଇଁ କାର୍ଯ୍ୟ‌ ହେଉ ନାହିଁ, ତାହା ଆଲୋଚନାର ପ୍ରସଙ୍ଗ। ଯେଉଁ ସମୟରେ ଡ୍ରେନ୍ ସଫା‌ ହେବା କଥା, ତାହା ହେଉନାହିଁ। ସହରର ପରିବେଶ ସୁରକ୍ଷାରେ ପୋଖରୀର ଭୂମିକା ରହିଛି। କିନ୍ତୁ କଟକରେ ପୋଖରୀଗୁଡ଼ିକ ଅବସ୍ଥା ଶୋଚନୀୟ। ପୋଖରୀ ସଫା ରହିଲେ, ସହରର ତାପମାତ୍ରା ହ୍ରାସ ପାଇବ। ପରିବେଶ ସୁରକ୍ଷା ପାଇଁ ସମସ୍ତେ ସହଯୋଗିତା ଓ ସହଭାଗିତାର ସହ କାର୍ଯ୍ୟ କରିବାକୁ ବିଧାୟିକା ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ କଟକ ମେୟର ସୁବାସ ସିଂହ କହିଛନ୍ତି ଯେ ସ୍ବଚ୍ଛତା ସର୍ବେକ୍ଷଣରେ ପୂର୍ବରୁ କଟକ ୧୭୨ସ୍ଥାନରେ ଥିଲା, ଏବେ ୩୨ରେ ଅଛି। ଦୁଇ ବ‌ର୍ଷ ହେଲା ଲୋକଙ୍କ ଘରୁ ଅଳିଆ, ଆବର୍ଜନା ସଂଗ୍ରହ ଚାଲିଛି। ତଥାପି ଲୋକଙ୍କ ସହଯୋଗ ରହୁନାହିଁ। ପରିବେଶ ସୁରକ୍ଷା ସମେତ ଆବର୍ଜନା ପରିଚାଳନାରେ ସହରବାସୀଙ୍କ ସହଯୋଗ ନ ରହିଲେ, କୌଣସି ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ହେବ ନାହିଁ। ମେୟର ଶ୍ରୀ ସିଂହ କହିଥିଲେ, କଟକ ପୌର ନିଗମ ଅନେକ ସମସ୍ୟା ଦେଇ ଗତି କରୁଛି। ସିଏମ୍‌ସିକୁ ଭଲ ଅଧିକାରୀ ଆସୁନାହାନ୍ତି। ସହର ମଧ୍ୟରେ ଭେଣ୍ଡିଂଜୋନ୍‌ ନିର୍ମାଣ ପାଇଁ ସିଏମ୍‌ସି ପାଖରେ ସ୍ଥାନ ନାହିଁ। ସହରର ୮୦ ପ୍ରତିଶତ ରାସ୍ତା ସିଏମ୍‌ସିର ନୁହଁ। ସହର ସଫେଇ ପାଇଁ ବିଭିନ୍ନ ଏଜେନ୍‌ସିକୁ ରାଜ୍ୟ ସରକାର ନିଯୁକ୍ତି ‌ଦେଉଛନ୍ତି। ସେମା‌ନେ କାମରେ ଅବହେଳା କଲେ ବି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାର ‌କ୍ଷମତା ସିଏମ୍‌ସିର ରହୁନାହିଁ। ସହର ମଧ୍ୟରୁ ଗଛ ନ କାଟି, ବଡ଼ ବଡ଼ ଗଛକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏଥିରେ ଅଧିକ ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ ଅନୁ ମୋଦନ ମିଳିଲା ନାହିଁ। କିନ୍ତୁ ପ୍ରତିବର୍ଷ ଗଛ ଲଗାଯାଇଛି, ଏବର୍ଷ ୫ଲକ୍ଷ ଚାରା ବଣ୍ଟନ କରାଯାଇଛି। ପଲିଥିନ ଓ କାଗଜ କପ୍ ଉପରେ କଟକଣା ପାଇଁ ପଦକ୍ଷେପ ନିଆଯାଇ ମାଟି କପ୍‌କୁ ପ୍ରୋତ୍ସାହନ ଦେବାକୁ ପଦକ୍ଷେପ ଆରମ୍ଭ ହୋଇଛି। ହାଡିଆପଠାରେ ଜଙ୍ଗଲ ବିଭାଗ ପକ୍ଷରୁ ୫ଏକର ଜମିରେ ଗଛ ଲଗାଯାଇ ଯତ୍ନ ନିଆଯାଇଛି। ୨୩୦ କୋଟି ଟଙ୍କାର ମହାନଦୀ ରିଭର ଫ୍ରଣ୍ଟ ଉନ୍ନତୀକରଣ କାର୍ଯ୍ୟ କରାଯିବ। କଟକ ସହରର ଚେହେରା ଦ୍ରୁତ ଗତିରେ ବଦଳୁଛି ବୋଲି ମେୟର ଶ୍ରୀ ସିଂହ କହିଥିଲେ। ‘ସମ୍ବାଦ’ର ମୁଖ୍ୟ ସହସଂପାଦକ ସଚ୍ଚିକାନ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ