ବାଲି ଚୋରାଚାଲାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ନିଲାମ ହେଉନି ଖାଦାନ, ରାଜସ୍ୱ ହରାଉଛନ୍ତି ସରକାର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରା ବାଲି ଚାଲାଣ ବଢି ଚାଲିଛି। ଅନେକ ବାଲି ଖାଦାନ ନିଲାମ ହେଉନାହିଁ। ଯାହା ଫଳରେ ସରକାର ରାଜସ୍ୱ ହରାଉଛନ୍ତି। ବାଲି ଚୋରା ଚାଲାଣକାରୀ ସରକାରୀ କାର୍ଯ୍ୟାଳୟର ତଳିଆ କର୍ମଚାରୀଙ୍କ ଜରିଆରେ ବେପାର ଚଳାଇଛନ୍ତି। ମାସିକିଆ ବଟି ଦେଇ ବେଧଡ଼କ ବାଲି ଚୋରା ଚାଲାଣ କରି ଲୁଟ୍ କରି ଚାଲିଛନ୍ତି। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ବାଲି ଚୋରା ଚାଲାଣକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଗତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ତହସିଲର କର୍ମଚାରୀ, ଥାନା କର୍ମଚାରୀ, ଖଣି ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇଥିଲା। ଏଥିରେ ୧୧ଟି ବାଲି ବୋଝେଇ ଗାଡି ଜବତ କରାଯାଇଛି। ସେହିପରି ମାର୍ଶଘାଇ ବ୍ଲକର ରତନପୁର ନଦୀ ପଠାରେ ବାଲି ଚୋରା ଚାଲାଣରେ ବ୍ୟବହୃତ ସକସନ ମେସିନ୍, ପ୍ରୋକଲିନ ମେସିନ ଜବତ ହୋଇଛି। ଏଠାରେ ଗଚ୍ଛିତ ରଖାଯାଇଥିବା ବାଲିକୁ ମଧ୍ୟ ଜବତ କରାଯାଇଛି। ଏହି ଜବତ ବାଲିକୁ ନିଲାମ କରାଯାଇ ସେହି ଅର୍ଥକୁ ସରକାରୀ ଖାତାରେ ରଖାଯିବ ବୋଲି ଉପଜିଲ୍ଲ୍ାପାଳ ଅରୁଣ ନାୟକ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି। ଶ୍ରୀ ନାୟକ କହିଛନ୍ତି ବାଲି ମାଫିଆମାନେ ଏବେଠାରୁ ସତର୍କ ହୋଇ ଯାଆନ୍ତୁ। ନ ହେଲେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନକୁ ଅଧିକ କଡ଼ାକଡ଼ି କରାଯିବ। ଅପରପକ୍ଷରେ ବୁଦ୍ଧିଜୀବୀମାନେ କହିଛନ୍ତି ବାଲି ଖାଦାନକୁ ଉଦ୍ଦେଶ୍ୟମୂଳକ ଭାବେ ନିଲାମ କରାଯାଉନାହିଁ। ବାଲି ଖାଦାନରୁ ବାଲି ଚୋରା ଚାଲାଣ କରିବା ପାଇଁ ସରକାରୀ ସ୍ତରରେ ହିଁ ପ୍ରୋତ୍ସାହିତ କରାଯାଉଛି। ଏଥିରେ ରାଜନେତା, ସ୍ଥାନୀୟ ପୋଲିସ, ତହସିଲ କର୍ମଚାରୀ ଓ ଖଣି ବିଭାଗ କର୍ମଚାରୀଙ୍କ ହାତ ମଧ୍ୟ ରହିଛି। ବାଲି ଚୋରାଚାଲାଣକାରୀ ଏହି ସମସ୍ତ ବ୍ୟବସ୍ଥାକୁ ନିଜ ପକେଟ୍ରେ ପୁରାଇ ବେଆଇନ୍ ବାଲି ଚୋରା ଚାଲାଣ କରୁଛନ୍ତି। ସମସ୍ତ ସରକାରୀ ବ୍ୟବସ୍ଥା ଏଥିପ୍ରତି ସଚେତନ ରହିିଛି। ହେଲେ ବାଲି ଖାଦାନ କିପରି ନିଲାମ ହେବ ସେ ନେଇ କେହି ଉଦ୍ୟମ କରୁନାହାଁନ୍ତି। ପରୋକ୍ଷରେ ଚୋରାଚାଲାଣକାରୀଙ୍କୁ ଉତ୍ସାହିତ କରାଯାଉଛି ବୋଲି ଆଇନ୍ଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି। ସେ କହିଛନ୍ତି ପ୍ରଶାସନ ସହାୟତାରେ ହିଁ ବାଲି ଚୋରାଚାଲାଣ ହେଉଛି। କାଗଜକଲମରେ ସମସ୍ତ ଘାଟ ବନ୍ଦ ଅଛି। କିନ୍ତୁ ଚୋରାଚାଲାଣକାରୀଙ୍କୁ ଅଲିଖିତ ଲାଇସେନ୍ସ ଦିଆଯାଇଛି। ଫଳରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ହେଉଛି। ତେଣୁ ଯଦି ଚୋରାଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ମାଫିଆଙ୍କୁ ଏଥିରେ ସହଯୋଗ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାରୀ କର୍ମଚାରୀମାନେ ବାଲି ଚୋରଙ୍କୁ ସହଯୋଗ କରୁଥିବାରୁ ଯେଉଁଦିନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେହିଦିନ ବାଲି ଚୋରାଚାଲାଣ ବନ୍ଦ ହୋଇଯିବ ବୋଲି ଆଇନ୍ଜୀବୀ ଶ୍ରୀ ମହାପାତ୍ର କହିଛନ୍ତି।


