ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ଛତ୍ରପୁର,(ଓ୍ବାଇଏନଏସ): ମହିଳାମାନଙ୍କ ସଫଳତା, ଶକ୍ତି ଓ ଅବଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ବ୍ରହ୍ମପୁରର ଯୁଗ୍ମ ଶ୍ରମ କମିଶନର ସୁମିତ୍ରା ମାଝୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ସେ ନିଜ ଅଭିଭାଷଣରେ ମହିଳାମାନଙ୍କର ଆଭ୍ୟନ୍ତରୀଣ ଶକ୍ତି ଉପରେ ଗୁରୁତ୍ୱ ଦେଇ କହିଥିଲେ ଜଣେ ମହିଳା ନିଜର ପ୍ରକୃତ ଶକ୍ତି କେବଳ କଠିନ ପରିସ୍ଥିତିରେ ହିଁ ବୁଝିପାରିଥାଏ। ଯେତେବେଳେ ଆହ୍ୱାନ ବଢ଼େ, ସେତେବେଳେ ନାରୀ ଭିତରେ ଥିବା ସଂଘର୍ଷ କରିବାର ଅଦମ୍ୟ କ୍ଷମତା ଜାଗ୍ରତ ହୁଏ।” ଶ୍ରୀମତୀ ମାଝୀ ଆହୁରି ମଧ୍ୟ କହିଥିଲେ, “ଆଜିର ମହିଳାମାନେ ଆଉ କେବଳ ଚାରିକାନ୍ଥ ଭିତରେ ସୀମିତ ନୁହନ୍ତି। ସେମାନେ ନିଜ ପରିବାରର ଆର୍ଥିକ ମେରୁଦଣ୍ଡ ହେବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ନୂତନ ଦିଶା ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବନ୍ଦର ପାର୍ଶ୍ୱବର୍ତ୍ତୀ ବିଭିନ୍ନ ପଞ୍ଚାୟତ ତଥା ଛତ୍ରପୁର ବିଜ୍ଞାପିତ ଅଞ୍ଚଳର ପ୍ରାୟ ୩୦୦ ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ। ଏଥି ମଧ୍ୟରୁ ୩୦ ଜଣ ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କର ନିଷ୍ଠା ଓ ସ୍ୱାବଲମ୍ବୀ ପ୍ରୟାସ ପାଇଁ ସମ୍ବର୍ଦ୍ଧିତ କରାଯିବା ସହ ସମାଜର ବିଭିନ୍ନ ବର୍ଗରେ ନିଜ ନିଜ କ୍ଷେତ୍ରରେ ସଫଳ ନେତୃତ୍ବ ନେଇଥିବା ୧୦ ଜଣ ସଫଳ ମହିଳାଙ୍କୁ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଏମାନଙ୍କ ମଧ୍ୟରୁ ସାନିଟାରୀ ନାପକିନ ଇନୋଭାଟିବ ପ୍ରୋଜେକ୍ଟର ସ୍ନେହା ଗୌଡ, ରେଶମାରାଣୀ ଶତପଥୀ ଓ ଅମୃତା ସ୍ଵାଇଁ, ଶିଶୁକଳାକାର ମାଙ୍କେ, ଓଡିଶୀ ନୃତ୍ୟଗୁରୁ ଅଳକା ସାହୁ, ସମାଜସେବୀ ସମାପ୍ତି ପଣ୍ଡା ଏବଂ ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ଭିନ୍ନକ୍ଷମ ଶିକ୍ଷୟିତ୍ରୀ ଉପାସନା ନନ୍ଦ ପ୍ରମୁଖ ଅନ୍ୟତମ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ଏନଏସି ଅଧକ୍ଷ୍ୟା ଶର୍ମିଷ୍ଠା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଆଦିତି ଆଚାର୍ୟ, ଛତ୍ରପୁର ମହିଳା ମହାବିଦ୍ୟାଳୟ ଅଧକ୍ଷ୍ୟା ସୁମିତ୍ରା ମିଶ୍ର, ପିଏମ ଶ୍ରୀ ଅନସ୍ଲୋ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଏମକେସିଜୀ ମେଡ଼ିକାଲ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଶର୍ମିଷ୍ଠା ଷଢଙ୍ଗି, ଜିଲ୍ଲା ଜେଣ୍ଡର ସମନ୍ଵୟ ଅଧିକାରୀ ମନୋରମା ସାହୁ, କାଳିପଲ୍ଲି ପଞ୍ଚାୟତ ସରପଞ୍ଚ ବି ଲକ୍ଷ୍ମୀ ପାତ୍ର, ଗୋପାଳପୁର ବନ୍ଦର ମହିଳା କ୍ଲବ ଅଧକ୍ଷ୍ୟା ରଞ୍ଜିତା ପାତ୍ର ଏବଂ ସଦସ୍ୟା ନିରୂପମା ଶତପଥୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। ଆଦାନୀ ଫାଉଣ୍ଡେସନ ସର୍ବଦା ସ୍ଥାନୀୟ ଅଞ୍ଚଳରେ ମହିଳାମାନଙ୍କର ଦକ୍ଷତା ବିକାଶ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ କାର୍ଯ୍ୟ କରିଆସୁଛି। ଏହି ସମ୍ବର୍ଦ୍ଧନା ଉତ୍ସବ ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବା ହିଁ ଆଦାନୀ ଫାଉଣ୍ଡେସନର ଲକ୍ଷ ବୋଲି ଗୋପାଳପୁର ବନ୍ଦର ସିଏସଆର ମୁଖ୍ୟ ଦେବଦତ୍ତ ମିଶ୍ର ମତପ୍ରକାଶ କରିଥିଲେ।


