ଇମାମନଗରରେ ପରିସ୍ଥିତି ପରଖିଲେ ଅତିରିକ୍ତ ଜିଲ୍ଲାପାଳ
କଟକ (ଓ୍ବାଇଏନଏସ) : ସମ୍ଭାବ୍ୟ ଡ଼ାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳ ଗସ୍ତ କରି ପରିସ୍ଥିତି ଉପରେ ନଜର ରଖାଯିବା ସହ ସଚେତନତା ସୃଷ୍ଟି କରାଯାଉଛି। ଆଜି ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଇମାମନଗର ଅଂଚଳକୁ ଯାଇ ସେଠାକାର ସ୍ଥାନୀୟ ଅଂଚଳ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡେଙ୍ଗୁ, ଡ଼ାଇରିଆ ଓ ମ୍ୟାଲେରିଆ ଉପରେ ସ୍ଥାନୀୟ ମହିଳା ଓ ପିଲାମାନଙ୍କୁ ସଚେତନ କରାଇଥିଲେ। ବିଶେଷକରି ବିଶୁଦ୍ଧ ପାନୀୟ ଜଳ ପିଇବା ଓ ବ୍ୟବହାର କରିବା, ହାତ ଧୋଇବା, ଗରମ ଖାଦ୍ୟ ଖାଇବା, ପିଲାମାନଙ୍କୁ ଉଷୁମ ପାଣି ପିଇବାକୁ ଦେବା, ମୁଗ ସିଝେଇ ପିଲାମାନଙ୍କୁ ଦେବା, ପରିବେଶ ସୁସ୍ଥ ରଖିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଉପଲବ୍ଧ ଥିବା ଔଷଧ ଓ ଶଯ୍ୟା ଆଦି ସମ୍ପର୍କରେ ଅବଗତ ହୋଇଥିଲେ। ବିଶେଷକରି ୫ ବର୍ଷ ବୟସରୁ କମ ବୟସ୍କ ପିଲାମାନଙ୍କୁ ଡାଇରିଆ ହେବାର ଆଶଙ୍କା ଅଧିକ ଥିବାରୁ ସେମାନଙ୍କୁ ସଚେତନ କରାଇବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।