ସମିତି ସମ୍ପାଦକଙ୍କୁ ଅତିରିକ୍ତ ଦାୟୀତ୍ୱ ପ୍ରଦାନ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ସେବା ସମବାୟ ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁଙ୍କୁ ଚାଇଁପୁର ସେବା ସମବାୟ ସମିତିର ଅତିରିକ୍ତ ଦାୟୀତ୍ୱ ପ୍ରଦାନ କରାଯାଇଛି । ଗତ ଏପ୍ରିଲ ମାସରେ ଚାଇଁପୁର ସମିତିର ପୂର୍ବତନ ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କୁ ସମିତି ପରିଚାଳନାରେ ତୃଟି ଦର୍ଶାଇ ପରିଚାଳନା କମିଟି ପକ୍ଷରୁ ନିଲମ୍ବନ କରାଯାଇଥିଲା । ଫଳରେ କିଛି ଦିନ ଧରି ସମିତି କାର୍ଯ୍ୟରେ ବାଧା ଉପୁଜି ଥିଲା । ପରେ ଜିଲାପାଳଙ୍କ ଚିଠି ନଂ-୧୦୫୩/ତା-୨୩-୫-୨୫ ମୂଳେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ସହକାରୀ କର୍ମଚାରୀ ରଞ୍ଜନ କୁମାର ରାଉତଙ୍କୁ ଚାଇଁପୁର ସମିତିର ଅତିରିକ୍ତ ଦାୟୀତ୍ୱ ପ୍ରଦାନ ନେଇ ନିର୍ଦ୍ଦେଶ ହୋଇଥିଲା । ମାତ୍ର କୌଣସି କାରଣ ବଶତଃ ରଞ୍ଜନ କୁମାର ରାଉତ ଦାୟୀତ୍ୱ ନେଇପାରିନଥିଲେ । ଏସମ୍ପର୍କରେ ସମିତିର ସଭାପତି ଓ ପରିଚାଳନା କମିଟି ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା । ଫଳରେ ପୁନଶ୍ଚ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ-୧୧୫୩/ତା-୯-୬-୨୫ ମୂଳେ ପଧାନପଡା ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁଙ୍କୁ ଚାଇଁପୁର ସମବାୟ ସମିତିର ଅତିରିକ୍ତ ଦାୟୀତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ହୋଇଥିବା ଜଣାଯାଇଛି ।