୪୨ ବର୍ଷରେ ପାଦ ଥାପିଛି ଶାସଙ୍ଗ ଗାଁର ବାଦୀ ପାଲା
ହାତଡ଼ିହି (ଓ୍ବାଇଏନଏସ): ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରରେ ପାଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାଲା ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ, ପରମ୍ପରାକୁ ଉଦଜୀବିତ କରି ରଖିବା ସହିତ ପାଲା ମାଧ୍ୟମରେ ସାମାଜିକ କୁସଂସ୍କାର ଦୂର ସମ୍ପର୍କରେ ସଚେତନ କରାଯାଇ ପାରୁଛି । ପୌରାଣିକ କଥାବସ୍ତୁ , ଓ ପୁରାଣ,ଶାସ୍ତ୍ର ଓ ଭାଗବତ ଉପରେ ଆଲୋଚନା କରାଯାଇ ଅବକ୍ଷୟ ମୂଖି ସମାଜକୁ ସୁଧାର ଆଣିବା କ୍ଷେତ୍ରରେ ପାଲାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶାର ସୁନାମଧନ୍ୟ ଗାୟକ ଅଭିରାମ ଶତପଥି ଓ ଗାୟକ ଯୁବ ଭାସ୍କର ଜ୍ଞାନପ୍ରିୟ କାନୁନ ଗୋ ପ୍ରକାଶ କରିଛନ୍ତି। ଆଜକୁ ୪୨ ବର୍ଷ ତଳେ ୧୯୮୪ ମସିହାରେ ଆରମ୍ଭ ହୋଇଥିଲା ଶାସଙ୍ଗର ସତ୍ୟ ନାରାୟଣ ପାଲା ଅନୁଷ୍ଠାନ। ଏହି ଅନୁଷ୍ଠାନରେ ଓଡ଼ିଶାର ଖ୍ୟାତି ସମ୍ପନ୍ନ ଗାୟକ ମାନଙ୍କ ପାଲା ପରିବେଷଣକୁ ନେଇ ଅଞ୍ଚଳରେ ବେଶ୍ ଖ୍ୟାତି ଅର୍ଜନ କରିଛି ଶାସଙ୍ଗ ଗାଁର ପାଲାମଞ୍ଚ। ଯାହା ଦ୍ଵାରା ଗାଁରେ ଭାଇଚାରା ପ୍ରତିଷ୍ଠା ସହିତ ଗାଁର ଏକତାକୁ ସମୃଦ୍ଧ କରିବାରେ ସହାୟ ହୋଇଛି ଗାଁର ଏହି ଅତିହ୍ୟ ସମ୍ପନ୍ନ ଏହି ବାଦୀପାଲା । ପ୍ରାରମ୍ଭରେ ଗାଁ ଲୋକମାନେ ୫୦ଟଙ୍କା ଲେଖାଏଁ ଚାନ୍ଦା ଦେଇ ଏହି ଅନୁଷ୍ଠାନ ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଏହା ୪୨ବର୍ଷରେ ପାଦ ଥାପିଛି। ସେତେବେଳେ ଗାଁର ଅନୁଷ୍ଠାନକୁ ଆରମ୍ଭ କରିଥିବା ଲୋକମାନେ ମଧ୍ୟ ଚାଲିଗଲେଣି। କିନ୍ତୁ ପିଢ଼ି ପରେ ପିଢ଼ି ଏହି ଅନୁଷ୍ଠାନକୁ ଚଳାଇ ଆସୁଥିବା ନେଇ କହିଛନ୍ତି ପାଲା କମିଟିର ସଭାପତି ସଞ୍ଜୟ ସ୍ୱାଇଁ ଓ ସମ୍ପାଦକ ଖଗେଶ୍ୱର ବାରିକ। ଏବେ ସ୍ମାର୍ଟ ଯୁଗରେ ଆଧୁନିକ ଚାକଚକ୍ୟ ଭିତରେ ଆସୁଥିବା ଯୁବବର୍ଗ ମଧ୍ୟ ପାଲା ଗାୟକଙ୍କ ଉଚ୍ଚକୋଟୀର ଛାନ୍ଦ, ଚଉପଦୀ, ପୁରାଣ, ଚଉତିଶା, ସାହିତ୍ୟ,ସଂସ୍କୃତି, ବିଷୟରେ ଜାଣିବାକୁ ଆଗ୍ରହ ଦେଖାଉଛନ୍ତି। ପ୍ରତିଦିନ ବହୁ ଦୂର ଦୁରନ୍ତାରୁ ଶହ ଶହ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି। ଏହି ଅନୁଷ୍ଠାନରେ ମହିଳା ମାନଙ୍କୁ ସ୍ଵତ୍ତନ୍ତ୍ର ଭାବେ ପାଲା ଦେଖିବାକୁ ଆଗରେ ସ୍ଥାନ ରଖା ଯାଇଥିଲା ବେଳେ ପୁରାତନ ଲୋକଙ୍କ ପ୍ରଶ୍ନ ଓ ଗାୟକ ମାନଙ୍କ ଉତ୍ତରରେ ବକ୍ତା ଓ ଶ୍ରୋତା ମାନଙ୍କ ମଧ୍ୟରେ ଖୁବ୍ ନିବିଡ ସମ୍ପର୍କ ରହିଥାଏ। ଯାହାକୁ ପ୍ରତିବର୍ଷ ଅଞ୍ଚଳର ଲୋକ ମାନେ ଅପେକ୍ଷା କରିଥାଆନ୍ତି। ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଦିପାଲା ଆଜି ଉଦଯାପିତ ହେବାକୁ ଥିବାବେଳେ ପ୍ରତିକୁଳ ପାଗ ସତ୍ତ୍ଵେ ଶହଶହ ପାଲାପ୍ରେମୀ ସାରା ରାତି ଉଜାଗର ରହି ପାଲାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।


