ନାବାଳିକାଙ୍କୁ ଉଦ୍ଧାର କଲା ପ୍ରଶାସନ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତର ସୁଆଁକଣ ଗ୍ରାମରୁ ନାବାଳିକାଙ୍କୁ ପ୍ରଶାସନ ପକ୍ଷରୁ ସୋମବାର ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଅଧିନ ପଟ୍ଟାମୁଣ୍ଡାଇ ଅଂଚଳର ବୋଲି ଜଣାଯାଇଛି। ଅନ୍ୟପଟରେ ନାବାଳିକାଙ୍କ ପରିବାର ପକ୍ଷରୁ ତାଙ୍କ ନାବାଳିକା ଝିଅକୁ କିଏ ଅପହରଣ କରି ନେଇଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ନାଉଗାଁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବାସନ୍ତୀ ମାଇନ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏଚଇଡବ୍ଲୁ ବନଜା ପ୍ରିୟଦର୍ଶନୀ ସ୍ୱାଇଁ, ଗାରେଇ ଫାଣ୍ଡୀ ଅଧିକାରୀ ଏଏସଆଇ ଚନ୍ଦ୍ରମୋହନ ହାଁସଦା ବିଶେଷ ସୂତ୍ରରୁ ଖବର ପାଇ ମିଳିତ ଭାବେ ସୁଆଁକଣ ଗ୍ରାମର ଚନ୍ଦ୍ରକାନ୍ତ ଦାସଙ୍କ ଘର ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଉକ୍ତ ନାବାଳିକା ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇଛି। ନାବାଳିକାଙ୍କ ପରିବାରକୁ ଏସଂକ୍ରାନ୍ତରେ ଖବର ପ୍ରଦାନ କରାଯିବା ସହିତ ଜଗତସିଂହପୁରସ୍ଥିତ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି)କୁ ହସ୍ତାନ୍ତର କରାଯିବ ବୋଲି ସିଡିପିଓ ଶ୍ରୀମତୀ ମାଇନ କହିଛନ୍ତି। ଏହି ଚଢାଉ ସମୟରେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ସାବିତ୍ରୀ ମୁଦୁଲି,କାର୍ଯ୍ୟାଳୟ ବରିଷ୍ଠ ସହାୟକ ବିଶ୍ୱମ୍ଭର ମହାନ୍ତି ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।