ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଗୋବିନ୍ଦପୁର ରାଜସ୍ୱ ଗ୍ରାମରେ ଜବର ଦଖଲରେ ଥିବା ଏକ ଗୋଚର ଜମିକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବଳରେ ଆଜି ବନ୍ତ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ଗୋବିନ୍ଦପୁର ମୌଜାର ଖାତା ନଂ-୧୮୦, ପ୍ଲଟ ନଂ-୭୯୩ରେ ୧ ଏକର ୨୬ ଡିସମିଲ୍ ଗୋଚର କିସମ ଜମିକୁ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଜବର ଦଖଲ କରି ଆସୁଥିଲେ। ଗୋଚର ଜମିର ସୁରକ୍ଷା ପାଇଁ ସେହି ଗ୍ରାମର ଶ୍ରୀଧର ନାୟକ ଉକ୍ତ ଜମିକୁ ଜବର ଦଖଲ ମୁକ୍ତ କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ଚେଷ୍ଟା କରି ବିଫଳ ହେବା ପରେ ବନ୍ତ ତହସିଲଦାରଙ୍କୁ ପକ୍ଷ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପି(ସି) ନଂ-୨୬୧୩୧/୨୦୨୨ରେ ଆବେଦନ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ଆବେଦନକୁ ବିଚାର କରି ଜବର ଦଖଲରେ ଥିବା ଉପରୋକ୍ତ ଜମିକୁ ଉଚ୍ଛେଦ କରିବା ନିମନ୍ତେ ଆଦେଶ ସଂଖ୍ୟା- ୨୮୦୯/ତା-୬-୭-୨୦୨୩ରେ ବନ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ବନ୍ତ ତହସିଲଦାର ସମସ୍ତ ନ୍ୟାୟିକ ବ୍ୟବସ୍ଥାକୁ ପୂରଣ କରି ଜବର ଦଖଲରେ ଥିବା ଉପରୋକ୍ତ ଗୋଚର ଜମିକୁ ଆଜି ଜବରଦଖଲ ମୁକ୍ତ କରିଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ସୁପରଭାଇଜର ବ୍ରଜ କିଶୋର ଦାସ, ଅମିନ ସେକ୍ ଜାକିର ହୁସେନ୍, କେନ୍ଦୁଆପଦା ଅତିରିକ୍ତ ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ନରେନ୍ଦ୍ର କୁମାର ରାଉତଙ୍କ ସମେତ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣାସ୍ଥଳରେ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିଥିଲେ।