ଆଫଗାନ ନାଗରିକ ଗିରଫ ଘଟଣା: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ତନାଘନା

କଟକ, (ଓ୍ବାଇଏନଏସ): ଓଡିଶାରେ ଜଣେ ଆଫଗାନ ନାଗରିକ ଧରାପଡିବା ପରେ ତନାଘନା ଆରମ୍ଭ । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଆଫଗାନ ନାଗରିକକୁ ଗିରଫ କରିଥିଲା କମିଶନରେଟ ପୋଲିସ । ତେବେ ଆଫଗାନର ଏହି ଅଭିଯୁକ୍ତ ଜଣକ କଟକର ପୁରୀଘାଟ ଥାନା ଅଞ୍ଚଳର ପେଟିନ ସାହିରେ ଦିର୍ଘ ବର୍ଷ ହେବ ରହୁଥିବା ବେଳେ ଆହୁରି ୩ ରୁ ୪ ଜଣ ତାଙ୍କ ସହ ଭଡାରେ ରହୁଥିବା ଜଣାପଡିଛି। ଅଭିଯୁକ୍ତ ମହମ୍ମଦ ୟୁସୁଫ ଗିରଫ ହେବା ପରେ ଆଜି ପେଟିନ ସାହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଣ୍ଟିଲିଜେନ୍ସ ବ୍ୟୁରୋ ବା ଆଇବି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମହମ୍ମଦ ୟୁସୁଫ ଦୀର୍ଘ ର୍ବଷ ହେବ ଏଠାରେ କେମିତି ରହୁଥିଲେ ? କାହିଁକି ରହୁଥିଲେ ? ସେ କଣ କରନ୍ତି ? ଏଭଳି ଅନେକ ଦିଗ ଉପରେ ଯାଞ୍ଚ କରୁଛି ଆଇବି । ସେହିପରି ସେ କାହା ସହ ମିଶନ୍ତି କି ନାହିଁ, ସେନେଇ ମଧ୍ୟ ପଚରାଉଚରା କରିଛି ଆଇବି ଟିମ ।ଏହାସହ ଘର ମାଲିକଙ୍କୁ ମଧ୍ୟ ଏ ସମ୍ପର୍କରେ ପଚରାଉଚରା କରିବା ସହ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ଟିମ । ବଡ଼ କଥା ହେଉଛି କଟକ ପେଟିନ ସାହିରେ ଆଫଗାନର ୩ ଜଣ ନାଗରିକ ରହୁଛନ୍ତି ।ଏମାନେ ଜଣଙ୍କ ଘରେ ଭଡା ନେଇ ରହୁଛନ୍ତି । ଜଣଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୫୦ ବର୍ଷ ଏବଂ ଆଉ ଜଣଙ୍କ ବୟସ ୨୮ ବର୍ଷ ହେବ । ଏମାନେ ଦୀର୍ଘ ବର୍ଷ ହେବ କଟକରେ ରହିବା ସହ ବ୍ୟବସାୟ କରନ୍ତି । ଡ୍ରାଏଫ୍ରୁଟ ବ୍ୟବସାୟ ସହ ସୁଧ ବ୍ୟବସାୟ କରୁଥିଲେ । ତାଙ୍କ ବାପା,ଜେଜେ ବାପାଙ୍କ ସମୟରୁ ସେମାନେ କଟକରେ ରହୁଥିବା କହିଛନ୍ତି । ଅନ୍ୟପଟେ ଘର ମାଲିକ ୟୁସୁଫ କିମ୍ବା ଆଫଗାନ ନାଗରିକଙ୍କ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏକ ୩ ଜଣିଆ ଟିମ ଉକ୍ତ ଘରକୁ ଦୁଇଥର ଆସିଥିଲେ । ପ୍ରଥମେ ଘର ମାଲିକଙ୍କୁ ପଚରାଉଚରା କରିଥିଲେ ହେଲେ ଘରେ ଦୁଇ ଆଫଗାନ ନାଗରିକ ଉପସ୍ଥିତ ନଥିଲେ । କେବଳ ଜଣେ ବୟସ୍କ ଆଫଗାନ ନାଗରିକ ଉପସ୍ଥିତ ଥିଲେ ,ଯାହାଙ୍କ ଦେହ ଅସୁସ୍ଥ ଥିବାରୁ ତଦନ୍ତରେ ସମସ୍ୟା ଉପୁଜିଥିଲା ବୋଲି ତଦନ୍ତକାରୀ ଟିମର ଜଣେ ସଦସ୍ୟ ନିଜର ନାମକୁ ଗୋପନ ରଖି ସୂଚନା ଦେଇଛନ୍ତି । ବିଶେଷକରି ୟୁସୁଫଙ୍କ ସହ ଏମାନଙ୍କ ସମ୍ପର୍କ କେମିତି ! ତା’ର ସଠିକ ନାଁ କଣ ! ପାସପୋର୍ଟରେ ଯେଉଁ ନାଁ ରହିଛି ସେଥିରେ କିଛି ଅନିୟମିତତା ରହିଛି କି ନାହିଁ ! ସେ କେବେଠାରୁ କଟକରେ ରହୁଥିଲା ! ତାର ବ୍ୟବହାର କେମିତି ! ସେ କଟକରେ କଣ କଣ କାମ କରେ ! ଏଭଳି ତମାମ ଦିଗକୁ ନେଇ ଯାଞ୍ଚ କରୁଛି ତଦନ୍ତକାରୀ ଟିମ । ମିଳିଥିବା ସୂଚନା ମୁତାବକ ୟୁସୁଫଙ୍କ କଥାରେ ତାଳମେଳ ରହୁନାହିଁ । ଯାହା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ତେବେ ମହମ୍ମଦ ୟୁସୁଫ କେମିତି ଭାରତୀୟ ପାସପୋର୍ଟ ହାତେଇଲେ ? ପାସପୋର୍ଟ ହେବା ସମୟରେ କେଉଁ କେଉଁ କାଗଜପତ୍ର ଦେଇଥିଲେ ? ସେଥିରେ ଆଉ କାହାର ଭୂମିକା ଅଛି କି ? ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ଟିମ । ଘଟଣା ର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରୁଥିବାରୁ ଏନେଇ କଟକ ଡିସିପି କୈଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ