ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲା ପ୍ରଶାସନ, ଜଳ ନିଷ୍କାସନ ଭିତ୍ତିଭୂମି ନିର୍ମାଣ ହେଲା ଅନୁଧ୍ୟାନ
କଟକ, (ଓ୍ବାଇଏନଏସ) : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେତିଲା ପ୍ରଶାସନ । ରବିବାର ଦିନ ଆଡଭୋକେଟ୍ କମିଟି, ସିଏମ୍ସି ଅଧିକାରୀ, ମେୟର, ଓ୍ୱାଟ୍କୋ ଅଧିକାରୀ ଓ ରେଳ ବିଭାଗର ଅଧିକାରୀମାନେ ମିଳିତ ଭାବେ ମାତୃଭବନ ନିକଟରେ ଜଳ ନିଷ୍କାସନ ଭିତ୍ତିଭୂମି ନିର୍ମାଣରେ ବିଳମ୍ବର କାରଣ ଅନୁଧ୍ୟାନ କରିଥିଲେ । ରେଳ ବିଭାଗ ଅଧିନରେ ସଂପୃକ୍ତ ଜାଗା ଥିବାରୁ ରେଳ ବିଭାଗ ସେଠାରେ ଥିବା ମୁଖ୍ୟ ଡ୍ରେନ୍ରେ ମତ୍ତଗଜପୁର ଆଡକୁ ଜଳ ନିଷ୍କାସନ ଭିତ୍ତିଭୂମି ତିଆରି କରିବା କଥା । ଏଥିପାଇଁ ପ୍ରଶାସନ ପକ୍ଷରୁ ରେଳ ବିଭାଗକୁ ପ୍ରାୟ ୫ ବର୍ଷ ହେବ ୧୫ କୋଟି ଟଙ୍କା ଦିଆଯାଇଛି । ତଥାପି ରେଳ ବିଭାଗ ଏହି ଜଳ ନିଷ୍କାସନ ଭିତ୍ତିଭୂମି ତିଆରି ପାଇଁ ଆଗ୍ରହ ଦେଖାଉନଥିବା ଅଭିଯୋଗ ହୋଇଥିଲା । ମାତୃଭବନରୁ ମୁଖ୍ୟ ଡ୍ରେନ ଦେଇ ମତ୍ତଗଜପୁର ଆଡକୁ ଜଳ ନିଷ୍କାସନ ହେଲେ ସହରରେ ଜଳବନ୍ଦୀ ଅବସ୍ଥା ଅନେକାଂଶରେ ସୁଧୁରିପାରନ୍ତା। ଏବେ ଜଳ ମତ୍ତଜଗପୁର ଆଡକୁ ନିଷ୍କାସିତ ନହୋଇ ମାତୃଭବନରୁ ଖାନନଗର ଆଡକୁ ଯାଇ କାଠଯୋଡିକୁ ନିଷ୍କାସିତ ହେଉଛି । ତେଣୁ ସହର ଭିତରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଆଜି ମିଳିତ କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ।