ଖବର ପ୍ରକାଶ ପାଇବା ପରେ ଚାଷୀଙ୍କୁ ମିଳିଲା ଧାନ ବିକ୍ରୀ ଟଙ୍କା: ସୁଧ ଓ ଖର୍ଚ ଦାବି କଲେ ଚାଷୀ

ହାଟଡିହି (ଓ୍ବାଇଏନଏସ): ମଣ୍ଡିରେ ଧାନ ଦେଲେ ୨୪ଘଣ୍ଟା ଭିତରେ ଚାଷୀକୁ ତାର ପ୍ରାପ୍ୟ ଦେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଧାନ ଦେବାର ଦଶ ମାସ ବିତିଥିଲେ ବି ଜଣେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମିଳି ନଥିଲା । ବାରମ୍ବାର ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାରେ ଧାନ ବିକ୍ରିରେ ଅବ୍ୟବସ୍ଥା ଶୀର୍ଷକ ଖବର ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବରାଙ୍ଗ ଗ୍ରାମର ଚାଷୀ ଶାନ୍ତିଲତା ରାଉତଙ୍କୁ ତାଙ୍କ ଧାନ ବିକ୍ରୀ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ସଢା ସମବାୟ ସମିତିର ସମ୍ପାଦିକା ଙ୍କ ବ୍ୟକ୍ତିଗତ ଏକାଉଣ୍ଟ ରୁ ଏହି ଟଙ୍କା ଦିଆ ଯାଇଥିବାରୁ ଚାଷୀ ସେ ଟଙ୍କାକୁ ଆଜି ପର୍ଯ୍ୟନ୍ତ ଉଠାଉ ନାହାନ୍ତି। ତାଙ୍କୁ ଏ ବାବଦରେ କୌଣସି ସୂଚନା ଦିଆ ଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ୧୦ ମାସ ପରେ ତାଙ୍କୁତାଙ୍କ ପ୍ରାପ୍ୟ ୨ ଲକ୍ଷ ୩୨ ହଜାର ୫ଶହ ଟଙ୍କା ଦିଆ ଯାଇଥିବା ବେଳେ ତାଙ୍କ ଖର୍ଚ ଟଙ୍କା କିଏ ଦେବ ବୋଲି ଚାଷୀ ଶାନ୍ତିଲତା ଓ ପୁଅ ଅଭିଯୋଗ କରିଛନ୍ତି। ସେ ଜଣେ ମଧ୍ୟବିତ୍ତ ଶ୍ରଣୀର ଚାଷୀ ହୋଇଥିବା ବେଳେ ଧାରକରଜ କରି ଗତବର୍ଷ ଚାଷ କରିଥିଲେ। ଧାନ ଟଙ୍କା ନ ପାଇବାରୁ ସେ ବାରମ୍ବାର କେନ୍ଦୁଝର, ଭୁବନେଶ୍ୱର ପ୍ରଭୃତି ସ୍ଥାନକୁ ବାରମ୍ବାର ଯାଇ ଖର୍ଚ୍ଚାନ୍ତ ହୋଇଛନ୍ତି। ତେଣୁ ସୁଧ ଓ ଖର୍ଚ ବାବଦକୁ ତାଙ୍କୁ ଅଧିକ ୮୦ ହଜାର ଟଙ୍କା ଦେବାକୁ ସେ ଦାବି କରିଛନ୍ତି। ଯଦି କିଛି ପଦକ୍ଷେ ପ ନିଆ ନଯାଏ ତେବେ ସେ ଆଇନିର ଆଶ୍ରୟ ନେବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦିକା ରଣଜିତା ଜେନା ଙ୍କୁ ପଚାରିବାରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିର୍ଦେଶରେ ତାଙ୍କୁ ତାଙ୍କ ଧାନ ପ୍ରାପ୍ୟ ଦିଆ ଯାଇଛି ବୋଲି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବରାଙ୍ଗ ଗ୍ରାମର ଚାଷୀ ଶାନ୍ତିଲତା ରାଉତ ସଢା ସମବାୟ ସମିତିରେ ଖୋଲିଥିବା ମଣ୍ଡିରେ ଗତ ଜାନୁୟାରୀ ୧୦ ତାରିଖରେ ଆଖି ସ୍କାନ କରିବା ସହ ୭୫ କୁଇଣ୍ଟାଲ ଧାନ ଦେଇଥିଲେ। ତାଙ୍କ ଫାର୍ମର ଆଇ ଡି ନମ୍ବର – ଏଫ ୧୮୦୭୦୦୦୪୯୩୦। ଧାନ ପଞ୍ଜିକରଣ ବେଳେ  ସେ ତାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ ଏକାଉଣ୍ଟ ନମ୍ବର ୫୪୦୮୧୦ ୧୧୦୦୦୭୬୯୭ ମଧ୍ୟ ଦେଇଥିଲେ। ଏହି ଧାନ ବାବଦ ତାଙ୍କୁ ୨ ଲକ୍ଷ ବତିଶି ହଜାର ପାଞ୍ଚଶହ ଟଙ୍କା ମିଳିବା କଥା। କିନ୍ତୁ ଅନେକ ଦିନ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କ ଏକାଉଣ୍ଟ କୁ ଟଙ୍କା ଆସିନଥିଲା।  ଶାନ୍ତିଲତା ରାଉତ ଓ ତାଙ୍କ ପୁଅ ଅନାଦି ରାଉତ ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେବି କିଛି ସୁଫଳ ମିଳି ନଥିବା ବେଳେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତାଙ୍କ ଏକାଉଣ୍ଟ କୁ ୨ ଲକ୍ଷ ୩୨ ହଜାର ୫ଶହ ଟଙ୍କା ପଠା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ