ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରେ ଚାଷୀମାନଙ୍କ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଏଫଏଫଭିଡିପି ପ୍ରକଳ୍ପ ଅଧୀନରେ ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିସିଡି ଦ୍ବାରା ଆୟୋଜିତ ଚାଷୀମାନଙ୍କ ପାଇଁ ଏକ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ ଏଙ୍ଗରସିଂ, ଜିରାଙ୍ଗ ଓ ଲକ୍ଷ୍ମୀପୁର ପଞ୍ଚାୟତର ୨୭ ଜଣ ଚାଷୀ ଯୋଗଦେଇ ଆଧୁନିକ କୃଷି ପ୍ରକ୍ରିୟା ଓ ଆୟ ବୃଦ୍ଧିର ବିଭିନ୍ନ ଉପାୟ ବିଷୟରେ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିଥିଲେ। ପ୍ରଶିକ୍ଷଣ ଯାତ୍ରା ସମୟରେ ଚାଷୀମାନେ ଜୈବିକ ଚାଷ, ମହୁଚାଷ ୟୁନିଟ୍, ପଶୁପାଳନ ୟୁନିଟ୍, ବ୍ଲାକ୍ ସୋଲ୍ଜିଅର୍ ଫ୍ଲାଇ ଲାର୍ଭା ୟୁନିଟ୍, ଛତୁ ୟୁନିଟ୍, ବର୍ମିକମ୍ପୋଷ୍ଟ ୟୁନିଟ୍, ମାଛ ଚାଷ, ଡ୍ରାଗନ୍ ଫଳ ଫାର୍ମ ଓ ପଲିହାଉସ୍ରେ ପ୍ରାୟୋଗିକ ଅଭିଜ୍ଞତା ହାସଲ କରିଥିଲେ। ବିଶେଷଜ୍ଞମାନେ ପ୍ରାୟୋଗିକ ଭାବରେ ଚାଷୀମାନଙ୍କୁ ନୂତନ କୃଷି ପ୍ରଯୁକ୍ତି ସ୍ପଷ୍ଟ ଭାବରେ ବୁଝାଇଥିଲେ। ଚାଷୀମାନେ ଏହି ପ୍ରୟାସକୁ “ଅତ୍ୟନ୍ତ ପ୍ରେରଣା ଦାୟକ ଓ ଉପକାରୀ” ବୋଲି ବର୍ଣ୍ଣନା କରିଥିଲେ ଓ ବିଶ୍ଵାସ କରିଥିଲେ ଯେ ଏହି ଶିକ୍ଷା ନିଜ କୃଷି କ୍ଷେତ୍ରରେ ଉନ୍ନତ ଧରଣର ଚାଷ କରିବାରେ ସାହାଯ୍ୟ କରିବ। ପ୍ରୋଜେକ୍ଟ ଅଧିକାରୀ ବି. ମାନସା ସେଞ୍ଚୁରିୟାନ ବିଶ୍ଵବିଦ୍ୟାଳୟର କତୃପକ୍ଷଙ୍କୁ ଏହି ସୁନ୍ଦର ଅବସର ପ୍ରଦାନ କରିଥିବା ପାଇଁ ସାଧୁବାଦ ଜଣାଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମମତା ପାତ୍ର ସହଯୋଗ କରିଥିଲେ।


