ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି ପ୍ରତିବାଦରେ ଏଆଇଟିୟୁସି ତରଫରୁ ବିକ୍ଷୋଭ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି ପ୍ରତିବାଦରେ ଆଜି ଏଆଇଟିୟୁସି ତରଫରୁ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ଫ୍ୟାକ୍ଟ୍ରି ଆକ୍ଟ ଧାରା ୫୧ ଓ ୫୪ କୁ ସଂଶୋଧନ କରି ଶ୍ରମିକ ମାନଙ୍କର ଦୈନିକ କାର୍ଯ୍ୟ ଦିବସ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଏହାବ୍ୟତୀତ ମାସିକ ଓଭର୍ ଟାଇମ୍ କାର୍ଯ୍ୟ ମଧ୍ୟ ସର୍ବାଧିକ ୧୧୫ ଘଣ୍ଟାରୁ ୧୪୪ ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଏହା ସହିତ ମହିଳାମାନଙ୍କୁ ରାତ୍ରି ସିଫ୍ଟରେ କାମ କରିବାର ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଶ୍ରମିକ ବିରୋଧି ନିଷ୍ପତ୍ତି ରାଜ୍ୟର ସମସ୍ତ ଶ୍ରମିକ ସଂଗଠନ ଘୋର ବିରୋଧ କରିବା ସହ ଏହି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶହ ଶହ ବର୍ଷର ଦୁର୍ବାର ଶ୍ରମିକ ଆନ୍ଦୋଳନର ଫଳ ସ୍ୱରୂପ ଆଜି ଦୁନିଆର ସମଗ୍ର ଦେଶରେ ଶ୍ରମିକମାନେ ଦୈନିକ ୮ ଘଣ୍ଟା କାମ କରିବାର ଅଧିକାର ପାଇ ଆସିଛନ୍ତି । ଏ ପର୍ଯ୍ୟନ୍ତ ଗୋଟିଏ ବି ଗଣତାନ୍ତ୍ରିକ ରାଷ୍ଟ୍ର ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ସାହସ କରୁ ନାହାନ୍ତି । ୧୯୧୯ ମସିହା ଆନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍ଓ) ର ପ୍ରଥମ ନିଷ୍ପତ୍ତି ଅନୁସାରେ ଶ୍ରମିକମାନେ ସର୍ବାଧିକ ୮ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା କାମ କରିପାରିବେ । ସାପ୍ତାହିକ ସମୟକୁ ୪୦ ଘଣ୍ଟାକୁ ହ୍ରାସ କରିବା ପାଇଁ ପରବର୍ତ୍ତୀ ଅନେକ ଆଇଏଲ୍ଓ ସମ୍ମିଳନୀରେ ଦାବି କରାଯାଇଛି । ଆମ ଦେଶ ଭାରତ ଆଇଏଲ୍ଓ ର ଏକ ସଭ୍ୟ ଦେଶ ଓ ଏହି ସଂସ୍ଥାରେ ପୃଥିବୀର ସବୁ ଦେଶ ସଦସ୍ୟ ରହିଥିବାବେଳେ ସଂସ୍ଥାର ନିଷ୍ପତ୍ତି ନିଜ ନିଜ ଦେଶରେ ଲାଗୁ କରିଥାନ୍ତି । କଷ୍ଟଲବ୍ଧ ଶ୍ରମ ଅଧିକାରର ଉଲ୍ଲଘଂନ- ଦଶନ୍ଧି ଦଶନ୍ଧି ଧରି ସଂଗ୍ରାମର ଫଳ ସ୍ୱରୂପ ଓ ବହୁ ପରୀକ୍ଷା ନିରୀକ୍ଷା ଓ ବୈଜ୍ଞାନିକ ତଥ୍ୟ ସମ୍ବଳିତ ମାନଦଣ୍ଡ ଅନୁସାରେ ଦୈନିକ ୮ଘଣ୍ଟା କାର୍ଯ୍ୟ କରିବା, ୮ ଘଣ୍ଟା ବିଶ୍ରାମ ନେବା ଓ ୮ ଘଣ୍ଟା ପରିବାର ଓ ନିଜ ପାଇଁ ସମୟ ସ୍ଥିର ହୋଇଛି । ଏହି ନିୟମ ପରିବର୍ତ୍ତନ ହେଲେ ସ୍ୱାସ୍ଥ୍ୟ ସଂପର୍କିତ ଅନେକ ଗବେଷଣାରୁ ଜଣାଯାଇଛି ଯେ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ କାମ କଲେ ବୃତ୍ତିଗତ ରୋଗ ଓ ମାନସିକ ଚାପ ସୃଷ୍ଟି କରିବ । କମ୍ପାନୀ ମାନେ ଦୈନିକ ୩ ସିଫ୍ଟ ବଦଳରେ ମାତ୍ର ୨ ସିଫ୍ଟ କାମ କରାଇବେ ଓ ସମସ୍ତ କାରଖାନା ଓ ଶିଳ୍ପରେ ଗୋଟିଏ ସିଫ୍ଟର ଶ୍ରମିକ ଛଟେଇ ହେବେ ଓ ଦେଶରେ ବେକାର ସଂଖ୍ୟା ବଢି ବଢି ଚାଲିବ । ସେହିଭଳି ସୁବିଧାରେ ବ୍ୟବସାୟ କରିବା ଉତ୍ପାଦନ ବୃଦ୍ଧି କରିବା ସରକାରଙ୍କ ଅଜବ ଆଦୌ ଗ୍ରହଣୀୟ ନୁହେଁ । ଉନ୍ନତ କାରୀଗରି କୌଶଳ,ଦକ୍ଷତା ବିକାଶ ଓ ଶ୍ରମିକ ମାନଙ୍କର ନିରାପତ୍ତା ନିୟମ ଅଧିକ କଡାକଡି ଲାଗୁ କରାଯିବା ଉଚିତ । କାର୍ଯ୍ୟ ସମୟ ବୃଦ୍ଧି ହେଲେ ଶ୍ରମିକମାନେ ନିଜ ପରିବାର, ପିଲାଙ୍କ ଶିକ୍ଷା ଓ ସାମାଜିକ କାର୍ଯ୍ୟ ଭାଗ ନେବାରୁ ବଂଚିତ ହେବେ । ମାନସିକ ଚାପରେ ସେମାନଙ୍କ ପରମାୟୁ ହ୍ରାସ ପାଇବ । ସରକାର ତୁରନ୍ତ ତାଙ୍କର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ଓ ପୂର୍ବଭଳି ଦୈନିକ ୮ ଘଣ୍ଟା କାର୍ଯ୍ୟ ଦିବସ ଓ ମାସିକ ଓଭରଟାଇମ ସର୍ବାଧିକ ୧୧୫ ଘଣ୍ଟା ଚାଲୁ ରଖନ୍ତୁ,ଫ୍ୟାକ୍ଟ୍ରି ଆକ୍ଟ ଧାରା ୫୧ ଓ ୫୪ ସଂଶୋଧନ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର,ମହିଳାମାନଙ୍କୁ ରାତ୍ରୀ ସିଫ୍ଟରେ କାମ କରିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସରକାର ତ୍ରିପାକ୍ଷିକ ଆଲୋଚନା କରନ୍ତୁ କିମ୍ବା ନିଷ୍ପତ୍ତି ନନେଇ ମନମୁଖୀ ଭାବେ ଶ୍ରମ ଆଇନ ସଂଶୋଧନ ବନ୍ଦ କରନ୍ତୁ । ଆଜିର ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ କାରଖାନା ଓ ଶିଳ୍ପ ସଂସ୍ଥାର ଶ୍ରମିକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରିଛନ୍ତି ଓ ଜିଲ୍ଲା ତଥା ରାଜ୍ୟ ଶ୍ରମିକଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଶ୍ରମିକ ବିରୋଧି ନିଷ୍ପତ୍ତି ପ୍ରତ୍ୟାହାର ଦାବି କରିଛନ୍ତି । ଏଆଇଟିୟୁସି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ ବିକ୍ଷୋଭକୁ ସମ୍ବୋଧନ କରି ତୁରନ୍ତ ଏହି ଶ୍ରମିକ ବିରୋଧି ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ସମଗ୍ର ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ହେବା ସହ କାରଖାନା ଖଣି ପରିବହନ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ । ଜିଲ୍ଲା ଉପ ସାଧାରଣ ସଂପାଦକ କପିଳ ମହାନ୍ତି ସମ୍ବୋଧନରେ ସରକାରଙ୍କ ମନମୁଖୀ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ଶ୍ରୀହରି ଘଣା,କାହ୍ନୁଚରଣ ସାମଲ,ବଦ୍ରୁ ଜାମା,ହୃଦା ପାତ୍ର,ରାଜାରାମ ମୁଣ୍ଡା,ଭୀମ ଲୋହାର,ପ୍ରମୋଦ ଶୁକ୍ଲା,ବାଗରା ଚାତାର,ବିରଞ୍ଚି ଦେହୁରୀ,ମାର୍କଣ୍ଡ ଦେହୁରୀ,ଖଗେଶ୍ୱର ମହାନ୍ତ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।


