ବ୍ୟାରେଜ୍ ଡ଼ିଭିଜନରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ: ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ହାଟଡିହି (ବିକାଶ ବିଶ୍ବାଳ) ଜଳସେଚନ ବିଭାଗର ବିଦ୍ୟାଧରପୁର ବ୍ୟାରେଜ ଡିଭିଜନରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶେଷ କରି ଖଇରା ଓ ହଦଗଡ଼ ସବ ଡିଭିଜନ ଅଧୀନରେ ସରକାରୀ ଅନୁଦାନ ହରିଲୁଟ ହୋଇଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏପରି ଢଙ୍ଗରେ ଲୁଟ ହୋଇଛି ଯେ ସାଧାରଣ ଲୋକମାନେ ଜାଣିବା କଷ୍ଟକର। ବିଧାନସଭା ରେ ବିଧାୟକ ଅଶୋକ ଦାସ ଙ୍କ ପ୍ରଶ୍ନର ଉତ୍ତରରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ତଥ୍ୟ ପରେ ଘଟଣା ପଦାକୁ ଆସିଛି। ଏନେଇ ବିଦ୍ୟାଧରପୁର ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ବିଭାଗୀୟ ସଚିବ, ବିଭାଗୀୟ ମୂଖ୍ୟଯନ୍ତ୍ରୀ କେନ୍ଦୁଝରଙ୍କୁ ଦାବିପତ୍ର ଦିଆଯାଇ ତଦନ୍ତ ପାଇଁ ଦାବି କରାଯାଇଛି। ଅଭିଯୋଗ ଅନୁଯାଇ ଗତ ୨୦୨୩/୨୪ ଓ ୨୦୨୪/୨୫ ଆର୍ଥିକ ବର୍ଷରେ ଏହି ଡ଼ିଭିଜନରେ ବ୍ୟାପକ ଅନିୟମିତତା ହୋଇଛି। ହଦଗଡ଼ ସବଡ଼ିଭିଜନ ଅଣ ଯୋଜନାରେ ୮୧ଜଣଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇ ଥିବାବେଳେ ଅନେକ ଗୁଡ଼ିଏ ପ୍ରକଳ୍ପର କାର୍ଯ୍ଯ ନହୋଇ ଅନୁଦାନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବିଶେଷକରି ହଦଗଡ଼ ଡ୍ୟାମ, ବିଦ୍ୟାଧରପୁର ବ୍ୟାରେଜର ମେଣ୍ଟେନାନସ ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ମାଟିକାମ, ସ୍ଲୁଇସ୍ ଗେଟ ମରାମତି, କେନାଲ ଡିସିଲିଂ, ବନ୍ଧ ସଶକ୍ତୀକରଣ, ଭଙ୍ଗା ମରାମତି ଏବଂ ନିର୍ମାଣ ଭଳି କାର୍ଯ୍ୟ ପାଇଁ ମିଥ୍ୟା ବିଲ୍ ପ୍ରସ୍ତୁତ କରା ଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ହଦଗଡ ଜଳସମ୍ପଦ ବିଭାଗ ବଙ୍ଗଳାର ସୋନ୍ଦର୍ଯ୍ୟ କରଣ ନାମରେ ଏଗ୍ରିମେଣ୍ଟ ନଂ ୦୫/୨ରେ ୧୭/୭/୨୦୨୩ରେ ୪ଲକ୍ଷ ୯ହଜାର ୯୫୫ଟଙ୍କା ଖର୍ଚ୍ଚ କରଯାଇଥିବା ଦର୍ଶା ଯାଇଥିଲା। ଏପରିକି ୧୬/୮/୨୦୨୩ରେ କାମ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ ଅଛି। କିନ୍ତୁ ବାସ୍ତବରେ ସେପରି କୌଣସି କାମ ହୋଇନଥିଲା। ଏ ଘଟଣା ଜଣା ପଡ଼ିଯିବା ପରେ ଗତ କିଛି ତଳେ ବିଭାଗ ପକ୍ଷରୁ ତରବରିଆ ଭାବେ କାମ ଆରମ୍ଭ କରାଯାଉଥିଲା। ସ୍ଥାନୀୟ କିଛି ବ୍ୟକ୍ତି ଏହାକୁ ବିରୋଧ କରି କାମ କରାଇ ଦେଇ ନଥିଲେ। ସେହିପରି ହରିଜନ ସାହି ନିକଟରେ ମୁଠାଏ ମାଟି ପଡ଼ି ନଥିବା ବେଳେ ୪ଲକ୍ଷ ୪୨ହଜାର ୭୪୫ଟଙ୍କା ଖର୍ଚ୍ଚ କରଯାଇଥିବା ଉଲ୍ଲେଖ ଅଛି। ସେହିପରି ବ୍ରାହ୍ମଣସାହି ନିକଟରେ ୨୦୨୪/୨୫ ଆର୍ଥିକ ବର୍ଷରେ ୪ଲକ୍ଷ ୪୧ହଜାର ୯୮୬ଟଙ୍କା ଖର୍ଚ୍ଚ କରଯାଇଥିବା ଦର୍ଶାଯାଇଛି। କିନ୍ତୁ ଏଠାରେ ମଧ୍ଯ ମୁଠାଏ ମାଟି ପଡ଼ି ନଥିବା ଅଭିଯୋଗ କରିଛନ୍ତି। ଖାଲି ଏହି ଗୋଟିଏ କି ଦୁଇଟି ନୁହଁ ଏପରି ଅନେକ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଏଠାରେ ଥିବା ଜଣେ କନିଷ୍ଠ ଯନ୍ତ୍ରୀ ତାଙ୍କ ସମ୍ପର୍କୀୟ ଙ୍କ ନାମରେ ମଧ୍ଯ କାମ ବଣ୍ଟନ କରିଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ୍ ବୋଲି ବେନିୟମ ବୋଲି ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଅଧିକାଂଶ କାମକୁ ଏଫ -୨- ଓ କେ -୨ କରି ଜଣେ ଜଣେ ଠିକାଦାରଙ୍କ ମାଧ୍ୟମରେ ଏକାଧିକ କାମ ବଣ୍ଟନ କରଯାଇଛି। ଯେଉଁଥିରେ କି ଅନିୟମିତତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିକାଶ ମଞ୍ଚ ମାନସ ପାତ୍ର, ନରେନ୍ଦ୍ର ନାୟକ, ରବୀନ୍ଦ୍ର ଲେଙ୍କା, ସନ୍ତୋଷ ପାତ୍ର, ଅନନ୍ତ ଆଇଚ , ଅକ୍ଷୟ ପାତ୍ର, ହୃଦାନନ୍ଦ ପଟ୍ଟନାୟକ, ବିଶ୍ଵନାଥ ବେହେରା, ସୁବାଷ ମଲ୍ଲିକ , ଦୁର୍ଯ୍ୟୋଧନ ପାତ୍ର, ଚିକନ ପାତ୍ର, ପାର୍ଥ ସାରଥୀ ମଲ୍ଲିକ, ସୁମନ ପାତ୍ର, ଶିବ ପାତ୍ର, ଅଲେଖ ସେଠୀ, ସୁବାସ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି। ଜିଲ୍ଲାପରିଷଦ ଉପାଧ୍ୟକ୍ଷ ତଥା ଜିଲ୍ଲାପରିଷଦ ୱାର୍କ୍ସ କମିଟି ର ଅଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି ଯେ ଏପରି ଅଭିଯୋଗ ପାଇବା ପରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ଓ ଆସନ୍ତା ଜିଲ୍ଲାପରିଷଦ ବୈଠକରେ ଏବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଦ୍ୟାଧରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଯେତିକି କାର୍ଯ୍ୟ ହୋଇଛି ସେଗୁଡ଼ିକରେ ସେପରି କୌଣସି ଅନିୟମିତତା ହୋଇନାହିଁ। ସେହିପରି ବିଦ୍ୟାଧରପୁର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି କୁଚକ୍ରୀ ଲୋକଙ୍କ ସ୍ୱାର୍ଥରେ ବାଧା ଉପୂଜିବାରୁ ଏପରି ଅଭିଯୋଗ କରିଛନ୍ତି। ସବୁ ଅଭିଯୋଗର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ସବୁ ସତ ଜଣା ପଡ଼ିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ