ଜଳସମ୍ପଦ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ହାଟଡିହି (ବିକାଶ ବିଶ୍ବାଳ): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ବିଶେଷ କରି ଖଇରା ସବ ଡିଭିଜନ ଅଧୀନରେ ସରକାରୀ ଅନୁଦାନ ହରିଲୁଟ ହୋଇଥିବା ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅଭିଯୋଗ ଅନୁଯାଇ ଗତ ୨୦୨୩/୨୪ ଓ ୨୦୨୪/୨୫ ରେ ବ୍ୟାପକ ଅନିୟମିତତା ହୋଇଛି। ଦୁଇଜଣ ଠିକାଦାର ଙ୍କ ମାଧ୍ୟମରେ ୫୧ଟି କାମ ବଣ୍ଟନ ହୋଇଥିବା ବେଳେ ଦୁଇ ବର୍ଷ ଭିତରେ ୪୫୭ଟି କାମ ଦିଆ ଯାଇ ୨୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷ କରି କେ -୨-  ଓ ଏଫ୍ -୨ ମାଧ୍ୟମରେ କାମ ଗୁଡ଼ିକ ବଣ୍ଟନ କରାଯାଇ ଥିବା ବେଳେ ଅଧିକାଂଶ ସ୍ଥାନରେ କାମ କରା ନଯାଇ ବିଲ୍ କରଯାଇଥିବା ଅଭିଯୋଗ ହୋଇଛି। ଗତ ଆର୍ଥିକ ବର୍ଷରେ ବିଦ୍ୟାଧରପୁର ଡିଭିଜନର ୯୦ଭାଗ କାମ ଖଇରା ସବ ଡିଭିଜନ ରେ କରାଯାଇଛି। ଏଠାକାର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ହାତବାରିଶି କରି ସମସ୍ତ ସରକାରୀ ଅନୁଦାନକୁ ଗୋଟିଏ ଉପଖଣ୍ଡରେ ଖର୍ଚ୍ଚ କରିଛନ୍ତି। ଏଥିରେ କରଯାଇଥିବା କାମ ଅତି ନିମ୍ନ ମାନର ଓ କେତେକ ସ୍ଥାନରେ କେବଳ କାଗଜ କଲମରେ କାମ ହୋଇଥିବା ଦର୍ଶାଯାଇଛି। ଉକ୍ତ ଯନ୍ତ୍ରୀ ଜଣକ ଅନେକ ଦୁର୍ନୀତିରେ ଲୀପ୍ତ ଅଛନ୍ତି। ସାଳନ୍ଦୀ ଏବଂ ବୈତରଣୀ କେନାଲ ଡିଭିଜନ ଅଧୀନରେ  ହୋଇଥିବା ମାଟିକାମ, ସ୍ଲୁଇସ୍ ଗେଟ ମରାମତି, କେନାଲ ଡିସିଲିଂ, ବନ୍ଧ ସଶକ୍ତୀକରଣ, ଭଙ୍ଗା ମରାମତି ଏବଂ ନିର୍ମାଣ ଭଳି କାର୍ଯ୍ୟ ପାଇଁ ମିଥ୍ୟା ବିଲ୍ ପ୍ରସ୍ତୁତ କରା ଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏସବୁର ତଦନ୍ତ କରାଯିବାକୁ ବିଦ୍ୟାଧରପୁର ବିକାଶ ପରିଷଦ, ଜୟ ପ୍ରକାଶ ନାରାୟଣ ବିଚାର ମଞ୍ଚ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସଚିବ, ଇଞ୍ଜିନିୟର-ଇନ୍-ଚିଫ୍ ଜଳ ସମ୍ପଦ ବିଭାଗ, , ମୁଖ୍ୟ ଯନ୍ତ୍ରୀ ବୈତରଣୀ ଡିଭିଜନ କେଉଁଝର, ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟାଧରପୁର ପ୍ରମୁଖଙ୍କୁ ଜଣାଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଧରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ନରହରି ପ୍ରଧାନ ଙ୍କୁ ପଚାରିବାରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି। ପୁର୍ବରୁ ମଧ୍ଯ ଏପରି ଅଭିଯୋଗ ଆଣିଥିଲେ, ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ହୋଇଥଲା ବୋଲି ସେ କହିଛନ୍ତି। ସେହିପରି ବିଦ୍ୟାଧରପୁର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ରଙ୍କୁ ପଚାରିବା ରେ ସେ ଅଭିଯୋଗ ପତ୍ର ପାଇ ନଥିବା କହିଛନ୍ତି। ବିଦ୍ୟାଧରପୁର ସବ ଡିଭିଜନରେ କମ୍ କେନାଲ ଥିବା ବେଳେ ଖଇରା ସବ ଡ଼ିଭିଜନ ଅଧୀନରେ ଅଧିକ କେନାଲ ଥିବାରୁ ସେଠାରେ ୬୦ରୁ ଉର୍ଦ୍ଧ୍ବ କାମ କରଯାଇଛି ବୋଲି କହିଛନ୍ତି। ଅଭିଯୋଗ ଆସିଲେ ନିଶ୍ଚୟ ତଦନ୍ତ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ