ବିଇଓ କାର୍ଯ୍ୟାଳୟରେ ବେନିୟମ ଅର୍ଥ ଆଦାୟ ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବେନିୟମ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟର କିଛି କର୍ମଚାରୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ବେନିୟମ ଭାବେ ଶିକ୍ଷକ ମାନଙ୍କୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନର ଧମକ ଚମକ ଦେଇ ଜୋର ଜବରଦସ୍ତ ଅର୍ଥ ଆଦାୟ କରୁଛନ୍ତି। ଏପରି କିଛି ଅଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ହଡ଼ଗଡ଼ ଅଞ୍ଚଳର ଏକ ବିଦ୍ୟାଳୟ ରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ବଦଳି କରିଦେବାର ଲୋଭ ଦେଖାଇ ପଚିଶ ହଜାର ଟଙ୍କା ଆଦାୟ କରିଥିବା ବେଳେ ଘଟଣାଟି ପ୍ରଚାର ହୋଇ ଯିବାରୁ ଟଙ୍କା ଆଣିଥିବା ଅଧିକାରୀ ଟଙ୍କା ଫେରାଇ ଦେଇଥିବା ଜଣା ଯାଇଛି। ସେହିପରି ଅନ୍ୟ କିଛି ଶିକ୍ଷକଙ୍କୁ ଡେପୁଟେସନ କରାଇ ଦେବୁ ବୋଲି କହି ୧୫ହଜାର କରି ଆଦାୟ କରାଯାଉଥିବା ଶୁଣିବାକୁ ମିଳୁଛି। ଅନେକ ଦିନ ହେଲା ଶିକ୍ଷକ ବଦଳି ବନ୍ଦ ଥିବା ସ୍ଥଳେ ଏଠାରେ ଶତାଧିକ ଶିକ୍ଷକଙ୍କୁ ଡେପୁଟେସନ ନାଁ ରେ ସ୍ଥାନାନ୍ତର କରା ଯାଇଛି। ସେହିପରି ଇଲୋକ୍ଟ୍ରୋନିକ ବାଇକ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇଦେଉଥିବା ବେଳେ ଏଠାରେ ଶିକ୍ଷକ ମାନଙ୍କ ଠାରୁ ୪ ହଜାର କରି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏଠାରେ ଅନେକ ଅନିୟମିତତା ହେଉଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ସତ୍ୟା ସତ୍ୟ ଅନୁଧ୍ୟାନ କରି ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷକ ମାନେ ଦାବି କରିଛନ୍ତି।


