ପାଚିକା ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): ପାଚିକା ସହାୟିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ପାଚିକା ସହାୟିକା ପଦବୀ ପୂରଣ ପାଇଁ ଦୀର୍ଘ ୮ ମାସରୁ ଉର୍ଦ୍ଧ୍ୱ ସମୟ ହେବ ନିଯୁକ୍ତି ପକ୍ରିୟା ଚାଲୁରହିଛି l ଗତ ଫେବୃଆରୀ ୧୨ ତାରିଖରେ ପାଚିକା ସହାୟିକା ନିଯୁକ୍ତି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା l ବିଇଓ ଅଫିସରୁ ମରେଈଗାଁ ସିଆରସିସି ସୁମନ୍ତ କୁମାର ନାୟକ ପ୍ରତିନିଧି ହିସାବରେ ଯାଇଥିଲେ l ସମୁଦାୟ ୪ ଜଣ ଆବେଦନକାରିଣୀ ଙ୍କ ମଧ୍ୟରୁ ଦୁଇ ଜଣଙ୍କ ପ୍ରାର୍ଥୀପତ୍ରକୁ ବିଚାରକୁ ଅଣାଯାଇଥିଲା l ସେଇ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଯୋଗ୍ୟ ପ୍ରାର୍ଥୀନୀ ହିସାବରେ ବାଛିବା ପାଇଁ କମିଟିର ମେମ୍ବର ମାନଙ୍କୁ କୁହାଯାଇଥିଲା l ସେଥିମଧ୍ୟରୁ ଯେଉଁ ପ୍ରାର୍ଥୀନୀ ଙ୍କୁ ମେମ୍ବର ମାନେ ବାଛିଥିଲେ, ତାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି l ପାଚିକା ନିଯୁକ୍ତି ପାଇଁ ସରକାରୀ ନିର୍ଦେଶାବଳୀ ଅନୁଯାୟୀ ପ୍ରଥମେ ଜଣେ ଅନୁସୂଚିତ ଜନଜାତି ଶ୍ରେଣୀରୁ ଦରିଦ୍ର ଓ ଅସହାୟ ମହିଳା ହୋଇଥିବା ଦରକାର, ଯଦି ସେ ଶ୍ରେଣୀରୁ ଆବଶ୍ୟକୀୟ ପ୍ରାର୍ଥୀନି ନଥିବେ ତେବେ ଅନୁସୂଚିତ ଜାତି ଶ୍ରେଣୀରୁ ଜଣେ ଦରିଦ୍ର ଅସହାୟ ମହିଳା ଙ୍କୁ ନିଯୁକ୍ତି ଦେବାକୁ ନିୟମ ଥିବାବେଳେ ବଳଭଦ୍ରପୁର ସ୍କୁଲରେ ଏହି ନିୟମକୁ ଉଲ୍ଲଙ୍ଘନ କରାଯାଇଛି l ଅନୁସୂଚିତ ଜାତି ବର୍ଗରୁ ପ୍ରାର୍ଥୀନି ଥିବାବେଳେ ଜଣେ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀରୁ ଜଣେ ମହିଳାଙ୍କୁ କିପରି ଭାବେ ଚୟନ କରାଗଲା ତାହା ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ହୋଇଛି l ଚୟନ ହୋଇଥିବା ମହିଳା ଜଣଙ୍କ ନିଜ ଆବେଦନ ପତ୍ରରେ ସେ ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ବୋଲି ଉଲ୍ଲେଖ କରିଥିଲେ, ମାତ୍ର ସେ ତାଙ୍କ ଜାତିଗତ ପ୍ରମାଣପତ୍ରରେ ସେ ନିଜକୁ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀର ବୋଲି ପ୍ରମାଣପତ୍ର ଦାଖଲ କରିଥିଲେ ବୋଲି ସୂଚନା ଅଛି l ଆବେଦନ ପତ୍ର ଓ ପ୍ରମାଣପତ୍ରରେ ଅସମାନ ତଥ୍ୟ ଥାଇ ମଧ୍ୟ ବିଇଓ ଅଫିସର ପ୍ରତିନିଧି କିପରି ତାଙ୍କୁ ଯୋଗ୍ୟ ବିବେଚିତ କରି ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବାପାଇଁ ସୁଯୋଗ ଦେଲେ ତାହା ଏବେ ସନ୍ଦେହ ଘେରରେ l ଏଣୁ ଉପରିସ୍ଥ ଅଧିକାରୀ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଗ୍ରାମବାସୀମାନେ କହିଛନ୍ତି l


