ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ଦରବାର ହଲ୍ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଉଦ୍ବୋଧନ ଛଳରେ ଶ୍ରୀ ମହାଳିକ କହିଥିଲେ ଯେ ତାଙ୍କର ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ୍ ହୋଇ ରହିବ । ଡ଼ଃ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତରପୀଢିଙ୍କୁ ପ୍ରେରଣା ଯୋଗାଇବ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିବା ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମିର୍ଦ୍ଧା ଟପ୍ପୋ ନିଜ ଅଭିଭାଷଣରେ କହିଥିଲେ ଯେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ଡଃ ଆମ୍ବେଦକର ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି । ବିଶେଷ କରି ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ସମତା, ଭ୍ରାତୃତ୍ୱ ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଭାରତୀୟ ସମ୍ବିଧାନର ବିଶେଷତ୍ୱ ପାଲଟିଛି ବୋଲି ଶ୍ରୀ ଟପ୍ପୋ କହିଥିଲେ । ସେହିପରି ମୁଖ୍ୟ ଵକ୍ତା ଭାବେ ଯୋଗ ଦେଇଥିବା ପ୍ରାଧ୍ୟାପକ ଶ୍ରୀ ବିମ୍ବାଧର ବେହେରା ଆଧୁନିକ ଭାରତରେ ଡ଼ଃ ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନ ପାଇଁ ଡକ୍ଟର ଆମ୍ବେଦକରଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଶ୍ରୀବେହେରା ଆହ୍ୱାନ ଜଣାଇଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସାର୍ଥକ ରାୟ ସ୍ୱାଗତଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପରୁସ୍କୃତ କରାଯାଇଥିଲା । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକର, ଜାତିର ଜନକ ମହାତ୍ମା ଗାନ୍ଧୀ, ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତିରେ ଅତିଥିବୃନ୍ଦ, ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତା ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


