ରାସ୍ତା ଜବର ଦଖଲ ଯୋଗୁଁ ଯାଇପାରୁନି ଆମ୍ବୁଲାନ୍ସ: ଥାନାରେ ଅଭିଯୋଗ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମର କରଣ ସାହିର ସର୍ବସାଧାରଣ ରାସ୍ତାକୁ କିଛି ବ୍ୟକ୍ତି ଅବରୋଧ କରିଛନ୍ତି। ଯାହାଦ୍ୱାରା ଗାଁ ଭିତରକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇ ପାରୁନି। ଏନେଇ ଗ୍ରାମର ପୂର୍ଣଚନ୍ଦ୍ର ପଟ୍ଟନାୟକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାଇ କରଣ ସାହିର ଏହି ରାସ୍ତାରେ ଦୀର୍ଘବର୍ଷ ଧରି ସର୍ବସାଧାରଣ ଚଳପ୍ରଚଳ କରିଆସୁଛନ୍ତି l କିନ୍ତୁ ୫ ଦିନ ଧରି ଗ୍ରାମର ୪ ଜଣ ବ୍ୟକ୍ତି ଉକ୍ତ ରାସ୍ତାଟିକୁ ନିଜର କହି ବାଡ଼ ବୁଝି ଅବରୋଧ କରି ରଖିଛନ୍ତି l ଲୋକମାନେ କହିବାରୁ ଗାଳିଗୁଲଜ କରିବା ସହ ମରଣାସ୍ତ୍ର ଦେଖାଇ ଭୟଭୀତ କରୁଛନ୍ତି l ପୂର୍ଣଚନ୍ଦ୍ର ପଟ୍ଟନାୟକ ଏନେଇ ନନ୍ଦିପଦା ଥାନା ଏବଂ ତହସିଲଦାରଙ୍କ ନିକଟରେ ଜଣାଇବା ପରେ ଆଜି ରାଜସ୍ବ ନିରୀକ୍ଷକ ସରଜମିନ ତଦନ୍ତ କରିଛନ୍ତି। ଏନେଇ ସେ ତଦନ୍ତ ରିପୋର୍ଟ ତହସିଲଦାରଙ୍କୁ ଦେବେ ବୋଲି କହିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।


