ଓଡ଼ିଆ ପକ୍ଷ ଅବସରରେ ଅମୃତପିଢି ସାରସ୍ଵତ ସମାରୋହ
କଟକ, (ଓ୍ବାଇଏନଏସ):ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଅମୃତପିଢି ସାରସ୍ଵତ ସମାରୋହ ଓ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ସ୍ଵରାଜ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ କଟକ ଏକ ଐତିହାସିକ ସହର ଓ ଏହାର ସଂସ୍କୃତି , ପରମ୍ପରା , ଇତିହାସ କୁ ଉଜ୍ଜୀବିତ କରିବାପାଇଁ ଓଡିଆ ପକ୍ଷ ଏକ ସୁନ୍ଦର ଅବସର । ଏଥି ସହ ଉପସ୍ଥିତ ସାହିତ୍ୟିକ ଓ ଅତିଥି ମାନେ ଓଡ଼ିଆ ସାହିତ୍ୟର ଆହୁରି ଅଧିକ ଉନ୍ନତି ନିମନ୍ତେ ପରାମର୍ଶ ଦେବାକୁ କହିଥିଲେ । ସାହିତ୍ୟ ଇତିହାସ ର ବ୍ୟାସକବି ଫକୀରମୋହନ ସେନାପତି, ଗୋପିନାଥ ମହାନ୍ତି ଓ ପ୍ରତିଭା ରାୟ ଙ୍କ ଭଳି ଅନେକ ସାରସ୍ଵତ ସାଧକଙ୍କ ର ମହତ୍ତ୍ବପୂର୍ଣ୍ଣ ଅବଦାନ କୁ ସ୍ମରଣ କରିବା ସହିତ ସାହିତ୍ୟ ମଧ୍ୟ ଜୀବିକା ହୋଇପାରିବ କହି ଉପସ୍ଥିତ ସାହିତ୍ୟ ପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ଏହି ପବିତ୍ର ଅବସରରେ ସେ ଉପସ୍ଥିତ ରହି ନିଜକୁ ଗର୍ବିତ ଅନୁଭବ କରୁଥିବା ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମତ ପ୍ରକାଶ କରିଛନ୍ତି। ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୂୟାଁ, ବିଶିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଅମରେଶ ପଟ୍ଟନାୟକ, ବିଶିଷ୍ଠ କବି ଓ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ, ବିଶିଷ୍ଠ କବି ଓ ସାହିତ୍ୟିକ ଶ୍ରୀଯୁକ୍ତ ସୁରେଶ ନାୟକ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାରୋହରେ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ସାହିତ୍ୟିକ ଯୋଗ ଦେଇ କବିତା ପାଠ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୋନାଲି କୁଣ୍ଡ ଓ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଦୀପ୍ତି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।


