ସିଏମସି ଓ ୟାଚେଟ୍ଟି ଆସୋସିଏସନର ମିଳିତ ସହଯୋଗରେ ‘ବନ୍ଦେ ମହାନଦୀ’ କାର୍ଯ୍ୟକ୍ରମ
କଟକ, (ଓ୍ବାଇଏନଏସ) : ମହାନଦୀ ଆମର ଜୀବନରେଖା। ଏହାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତାକୁ ଗୁରୁତ୍ୱ ଦେଇ କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ‘ବନ୍ଦେ ମହାନଦୀ’। ଏହି ସାମୁହିକ ନଦୀ ସଫେଇ ଅଭିଯାନରେ ସହଯୋଗ କରିଛି ଓଡ଼ିଶା ୟାଚେଟି ଆସୋସିଏସନ। ସିଏମସି ପକ୍ଷରୁ ଏହି ନଦୀ ସଫେଇ ଅଭିଯାନ ଆଜିଠାରୁ ଆରମ୍ଭ କରାଯାଇଛି। ଆଗାମୀ ମାସେ ଧରି ମହାନଦୀର ବିଭିନ୍ନ ଘାଟ ଏବଂ ନଦୀ ପଟକୁ ସଫା କରାଯିବାକୁ ଯୋଜନା ରଖାଯାଇଛି । ଆଜି ସିଏମସିର ଉପ ଆୟୁକ୍ତଙ୍କ ସହ ଅନେକ ଅଧିକାରୀ, ଏସଆଇ, ପରିମଳ ବିଶେଷଜ୍ଞ, ସଫେଇ କର୍ମଚାରୀ ପ୍ରମୁଖ କ୍ୟଣ୍ଟନମେଣ୍ଟ ରୋଡ ସ୍ଥିତ ଚିଦାନନ୍ଦ ଘାଟ ନିକଟରେ ପହଁଚି ମହାନଦୀର ତଟ ଓ ପଟକୁ ସଫା କରିଥିଲେ। ଏଥିରେ ୟାଚେଟି ଆସୋସିଏସନର ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ। ୬ ଜଣ ସ୍କୁବା ଡାଇଭର ନଦୀ ଭିତରେ ଜମି ରହିଥିବା ଦଳକୁ ସଫା କରି ଜେଟି ମାଧ୍ୟମରେ ବାହାରକୁ ଆଣିଥିଲେ। ଏହାପରେ ଟ୍ରାକ୍ଟର ମାଧ୍ୟମରେ ସେ ସବୁକୁ ସ୍ଥାନାନ୍ତରିତ କରାଯାଇଥିଲା। ମହାନଦୀର ଚିଦାନନ୍ଦ ଘାଟରୁ ଆରମ୍ଭ ହୋଇଥିବା ଏହି ସମୂହ ନଦୀ ସଫେଇ ଅଭିଯାନ ଆଗାମୀ ସମୟରେ ଅନ୍ୟ ଘାଟକୁ ସଫା ରଖିବା ଦିଗରେ ସମ୍ପ୍ରସାରିତ ହେବ। ସମସ୍ତେ ସହରକୁ ସ୍ୱଚ୍ଛ ରଖିବା ସହ ଜଳାଶୟ, ନଦୀ ଓ ପ୍ରାକୃତିକ ଜଳ ଉତ୍ସ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସିଏମସି ପକ୍ଷରୁ ଆହ୍ବାନ ଦିଆଯାଇଛି।


