ରାଜପ୍ରାସାଦକୁ ସୂଚନା ନାମଫଳକରେ ବିକୃତ ଭାବେ ଲେଖା ଯିବା ନେଇ ପାରଳାରେ ଉଦବେଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସ୍ୱତନ୍ତ୍ର ଓଡ଼ିଶାର ଅନ୍ୟତମ ମୁଖ୍ୟ ପ୍ରତିଷ୍ଠାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅତି ପ୍ରିୟ ଓ ଐତିହାସିକ ରାଜପ୍ରାସାଦକୁ ସରକାରୀ ଭାବେ ବିକୃତ କରି ସୂଚନା ଫଳକରେ ଲେଖା ଯାଇଥିବା ନେଇ ପାରଳା ସହରବାସୀଙ୍କ ଠାରେ ଉଦବେଗ ପ୍ରକାଶ ପାଇଛି. କେବଳ ଗଜପତିଙ୍କ ରାଜପ୍ରାସାଦ ନୁହେଁ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଥିବା ସୂଚନା ନାମ ଫଳକରେ ଓଡ଼ିଆ ଭାଷାକୁ ବିକୃତ କରି ଲେଖାଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଓଡିଶାକୁ ଭାଷା ଭିତିକ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଯେଉଁ ମାନଙ୍କର ଅବଦାନ ରହିଛି ସେମାନଙ୍କ ମଧ୍ୟରେ ପାରଳାର ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତି ଅନ୍ୟତମ । ଐତିହାସିକ ପୃଷ୍ଠଭୂମି ବହନ କରୁଥିବା ପାରଳାଖେମୁଣ୍ଡିର ରାଜପ୍ରାସାଦ ସାମ୍ନାରେ ପୂର୍ତ ବିଭାଗ ପକ୍ଷରୁ ଲଗାଯାଇଥିବ ସୂଚନା ନାମ ଫଳକରେ ରାଜ ପ୍ରାସାଦକୁ ବିକୃତ ଭାବେ ‘ରାଜ ପ୍ରସାଦ’ ଲେଖାଥିବା ଏକ ନାମ ଫଳକ ସ୍ଥାପନ କରାଯାଇଅଛି । ସେହିପରି ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଯାହା ୧୮୯୬ ମସିହାରେ ସ୍ଥାପିତ ହୋଇଥିବା ଓଡ଼ିଶାର ବହୁ ପ୍ରାଚୀନ ଶିକ୍ଷାନୁଷ୍ଠାନ ନିକଟରେ ଏଭଳି ଏକ ସୂଚନା ନାମ ଫଳକ ସ୍ଥାପନ କରାଯାଇଅଛି. ଯେଉଁଥିରେ କି“ ମହାବିଦ୍ୟାଳୟ” ବଦଳରେ ‘ବିଦ୍ୟାଳୟ’ ବୋଲି ଲେଖାଯାଇଛି । ମହାରାଜାଙ୍କ ବାଳିକା ବିଦ୍ୟାଳୟ ନିକଟରେ ଲାଗିଥିବା ସୂଚନା ଫଳକରେ ବିଦ୍ୟାଳୟ ବଦଳରେ ମହାବିଦ୍ୟାଳୟ ଲେଖାଯାଇଛି । ଯେଉଁ ଅଧିକାରୀମାନେ ଏହି ଦାୟିତ୍ୱରେ ଥିଲେ ସେମାନଙ୍କର ଓଡ଼ିଆ ଭାଷାରେ ଜ୍ଞାନ ଅଛି କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତି ତୁରନ୍ତ ଏଭଳି ବିକୃତ ଲେଖା ଥିବା ସୂଚନା ନାମ ଫଳକଗୁଡିକୁ ବାହାର କରାଯାଇ ସଠିକ ଲେଖା ଥିବା ସୂଚନା ନାମ ଫଳକଗୁଡିକୁ ଲଗାଯାଉ ବୋଲି ସାଧାରଣରେ ଦାବି ହୋଇଛି. ସମ୍ପୃକ୍ତ ଘଟଣା ନେଇ ପୂର୍ତ୍ତ ବିଭାଗ ସୁପରଟେଣ୍ଡ ଇଞ୍ଜିନିଅର ଅଭିଷେକ ସେଠୀଙ୍କ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଦୃଷ୍ଟି ଆକଷଣ କରିବାରେ, ସେ ଏଭଳି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଅତି ତୁରନ୍ତ ଏହାକୁ ବଦଳାଇ ସଠିକ ଲେଖା ଥିବା ସୂଚନା ନାମଫଳକର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


