ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ବାର୍ଷିକ ସମ୍ମିଳନୀ

ବାଲେଶ୍ୱର (ସରୋଜ ପଣ୍ଡା): ମାନବରକ୍ତର ବିକଳ୍ପ ନାହିଁ। ଜଣେ ରକ୍ତଦାତା ହିଁ ରକ୍ତଦାନ କରି ଅନ୍ୟଜଣଙ୍କର ଜୀବନରକ୍ଷା କରିପାରିବ। ତେଣୁ ରକ୍ତଦାନ ହିଁ ହେଉଛି ମହତଦାନ। ବାଲେଶ୍ୱର ଜିଲ୍ଲା ରକ୍ତଦାତା ସଂଘର ୧୫ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଅତିଥି ଓ ବକ୍ତାମାନେ ଏହିମତ ପ୍ରଦାନ କରିଛନ୍ତି। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ସମ୍ମାନିତ ଅତିଥି ଓ ବକ୍ତାଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ରେମୁଣା ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ ଯୋଗଦେଇ ରକ୍ତଦାନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ବାଲେଶ୍ୱର ଜିଲ୍ଲାର ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ରକ୍ତଦାତା ସଂଘର ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ। ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଓ ରକ୍ତବର୍ଗର ଉଦ୍‌ଭାବକ ତଥା ନୋବେଲ୍ ବିଜେତା ବୈଜ୍ଞାନିକ କାର୍ଲ ଲ୍ୟାଣ୍ଡ୍‌ଷ୍ଟେନରଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂଗଠନର ମୁଖପତ୍ର ‘ସ୍ପନ୍ଦନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଗତବର୍ଷରେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜକ, ସର୍ବାଧିକ ରକ୍ତସଂଗ୍ରହ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କୁ ସଂଘ ପକ୍ଷରୁ ଅତିଥିମାନେ ପୁରସ୍କୃତ କରିଥିଲେ। ପୃଷ୍ଠପୋଷକ ସଦସ୍ୟ ଭାବେ ଜିଲ୍ଲା ରକ୍ତଦାତା ସଂଘକୁ ୫୦ ହଜାର ଟଙ୍କା ଦାନ କରିଥିବାରୁ ସମାଜସେବୀ ପଦ୍ମଲୋଚନ ଦତ୍ତଙ୍କୁ ଉପାୟନ ପ୍ରଦାନ କରାଯାଇଥିଲା। ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ଅଧିବେଶନରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ୧୮ବର୍ଷ ବୟସରେ ଯୁବବର୍ଗ ରକ୍ତଦାନ ପାଇଁ ଯୋଗ୍ୟ ହେଉଥିବାବେଳେ ସେ ଦେଶର ଜଣେ ନାଗରିକ ଭାବେ ସଂବିଧାନ ପ୍ରଦତ୍ତ ଭୋଟଦାନର ଅଧିକାର ମଧ୍ୟ ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସଭାକାର୍ଯ୍ୟ ଆରମ୍ଭରେ ପୁରୀ ଜିଲ୍ଲା ଚନ୍ଦନପୁରର ‘ଉତ୍କଳ ଡ୍ୟାନ୍ସ ଗ୍ରୁପ୍‌’ର କଳାକାରମାନେ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚଆହ୍ୱାନ କରିଥିବାବେଳେ ମନୋରଂଜନ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ଦାସ, ଯଶୋଦାନନ୍ଦନ ଆସ୍‌, ଗଙ୍ଗାଧର ପୃଷ୍ଟି, ଲକ୍ଷ୍ମୀଧର ବାରିକ, ଜନତ୍ ହୁସେନ୍‌, ଶ୍ୟାମସୁନ୍ଦର ଜେନା ଓ ଦେବାଶିଷ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଅପରାହ୍ନ ଅଧିବେଶନରେ ଆସନ୍ତା ଦୁଇବର୍ଷପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରାଯାଇଥିଲା। ବରିଷ୍ଠ ସାଂବାଦିକ ରବି ରାଉତ ନିର୍ବାଚନ ପରିଚାଳନା କରିଥିଲେ। ବିଜୟ ପାତ୍ର ଏହି ଅଧିବେଶନରେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ