ଡ. କରୁଣାକର ଦାସଙ୍କ ଗବେଷଣାଧର୍ମୀ ‘ଶ୍ରୀଧରସ୍ୱାମୀ’ ପୁସ୍ତକର ଲୋକାର୍ପଣ

ବାଲେଶ୍ୱର, (ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ଓ ଏକ ଜନକଲ୍ୟାଣକାରୀ ସଂସ୍ଥା ‘ସହାୟକ’ର ମିଳିତ ଆନୁକୂଲ୍ୟରେ ଇଂ. ବନମାଳୀ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପ୍ରଫୁଲ୍ଲ କୁମାର ଦାସ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିବାବେଳେ ‘ସହାୟକ’ର ସଭାପତି ଡ. କ୍ଷିତୀଶ୍ୱର ଦାଶ ସଂଯୋଜନା କାର୍ଯ୍ୟ ନିର୍ବାହ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରାକ୍ତନ ପ୍ରଫେସର ଡ. ଗୋପାଳକୃଷ୍ଣ ଦାଶ, ସଂସ୍କୃତ ବିଭାଗ, ଉତ୍କଳବିଶ୍ୱବିଦ୍ୟାଳୟ, ବାଣୀବିହାର ତଥା ବିଶିଷ୍ଟ ଐତିହାସିକ ପ୍ରଫେସର ଡ. ହରିହର ପଣ୍ଡା (ସଦସ୍ୟ, ଭାରତୀୟ ଇତିହାସ ଗବେଷଣା ପରିଷଦ, ନୂଆଦିଲ୍ଲୀ ଓ ଅଧ୍ୟକ୍ଷ ଏନ୍‌.ଡି.ଏ., ପୁନେ) ଯଥାକ୍ରମେ ବରେଣ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଶ୍ରୀଧରସ୍ୱାମୀ’ ପୁସ୍ତକର ଲୋକାର୍ପଣ କରିବା ସହିତ ବିସ୍ତୃତ ଆଲୋଚନା ରଖିଥିଲେ। ଦୁର୍ଲ୍ଲଭ ଏବଂ ଅପ୍ରକାଶିତ ଶ୍ରୀଧରସ୍ୱାମୀଙ୍କ ବିରଚିତ ‘ବ୍ରଜବିହାରସ୍ତ୍ରୋତ୍ର’ ଗାନ କରି ସଦସ୍ୟ/ସଦସ୍ୟାମାନଙ୍କ ମଧ୍ୟରେ ଶ୍ରୀରାଧାକୃଷ୍ଣ ଭକ୍ତି ପ୍ରଭାବର ଉଦ୍‌ବେଳନ କରାଇଥିଲେ। ସେମାନଙ୍କ ମତରେ ଶ୍ରୀଧରସ୍ୱାମୀ କେବଳ ଜଣେ ଟୀକାକାର ନଥିଲେ, ସେ ଥିଲେ ଏକାଧାରରେ ଜଣେ ବିଶ୍ୱବିଶ୍ରୁତ ଦାର୍ଶନିକ, ଭାରତୀୟ ଭକ୍ତି ଆନ୍ଦୋଳନର ସୂତ୍ରଧର, କବି, ସମାଜସଂସ୍କାରକ ଓ ବିଶ୍ୱମାନବ ପାବକ ସନ୍ଥ। ଆଦିଶଙ୍କରାଚାର୍ଯ୍ୟଙ୍କ ମାୟାବାଦ ସଂଶୋଧକ ଶଙ୍କର ସନ୍ନ୍ୟାସୀ, ବିଶ୍ୱମଙ୍ଗଳ ସଂକୀର୍ତ୍ତନର ଆଦିପ୍ରବର୍ତ୍ତକ ଯାହା ଡ. କରୁଣାକର ଦାସଙ୍କ ପୁସ୍ତକରେ ସ୍ପଷ୍ଟଭାବେ ପ୍ରତିପାଦିତ ହୋଇଅଛି। ଏହାବ୍ୟତୀତ ଉକ୍ତ ପୁସ୍ତକରେ ରହିଛି ଶ୍ରୀଧରସ୍ୱାମୀଙ୍କ ବଂଶାବଳୀ, ଜନ୍ମସ୍ଥାନ, ସମୟ ଏବଂ ତାଙ୍କ ବିରଚିତ କାଳଜୟୀ କୃତିଗୁଡ଼ିକର ସଂକ୍ଷିପ୍ତ ଆଲୋଚନା। ଉକ୍ତ ପୁସ୍ତକଟି ଡ. ଦାସଙ୍କ ବିଶ୍ୱର ପ୍ରଥମ ଗବେଷଣା ସନ୍ଦର୍ଭ ‘ଶ୍ରୀଧରସ୍ୱାମୀ ଏକ ଅଧ୍ୟୟନ’ ଆଧାରରେ ରଚିତ। ଉକ୍ତ ବୌଦ୍ଧିକ ଆଲୋଚନାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଓ ‘ସହାୟକ’ର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଉପସଭାପତି ସୁଦର୍ଶନ ଦାସ ‘ଶ୍ରୀଧରସ୍ୱାମୀ’ଙ୍କ ନାମରେ ବାଲେଶ୍ୱର ଜିଲ୍ଲାର କୌଣସି ପ୍ରମୁଖ ଅନୁଷ୍ଠାନର ନାମକରଣ କରାଯିବାର ପ୍ରସ୍ତାବ ରଖିଥିଲେ। ଯାହାକି ସମସ୍ତ ସଭ୍ୟସଭ୍ୟା ମୁକ୍ତକଣ୍ଠରେ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଉକ୍ତ ସଭାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଦାମୋଦର ନାୟକ, ପ୍ରାକ୍ତନ ସଂପାଦକ ବସନ୍ତ କୁମାର ନାୟକ, ଡ. କାଦମ୍ବିନୀ ଦାଶ, ସୁବର୍ଣ୍ଣ ଦାସ, ବସନ୍ତମଞ୍ଜରୀ ଦାଶ, ଡ. ତାରାକାନ୍ତ ନନ୍ଦ, ଗୀତାଞ୍ଜଳି ଶତପଥୀ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ପରିଡ଼ା, ଡ. ଇଂ. ହୃଷିକେଶ ସାହୁ, ପ୍ରଣିତା ମିଶ୍ର, ଦେବେନ୍ଦ୍ର ଚୌଧୁରୀ, ପ୍ରତିମା ପଣ୍ଡା, ଭାଗବତ ପ୍ରସାଦ ଦଳାଇ, ଡ. ଦୟାନିଧି ମହାପାତ୍ର, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ପଣ୍ଡିତ ସଞ୍ଜୟ କୁମାର ପଣ୍ଡା, ପ୍ରାଧ୍ୟାପକ କୁମୁଦ ରଞ୍ଜନ ସାହୁ, ବେଣୁଧର ସାହୁ, ଜ୍ୟୋତ୍ସ୍ନା ରାୟ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରୀତା ରାୟ, ମୀନା ସେଠୀ, କାମିନୀକାନ୍ତ ପାଢ଼ୀ, ଗଙ୍ଗାଧର ପୃଷ୍ଟି, ଡ. ପ୍ରଭାକର ରଥ, ସୁରେନ୍ଦ୍ର ପ୍ରସାଦ ଧଳ, ତପନ ପଣ୍ଡା, ଶେଖ୍ ଆଲ୍ଲାଦିନ, ଭବେଶ ପଣ୍ଡା, କ୍ଷେତ୍ରମୋହନ ନାୟକ, ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ଡ. ଉମାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ