ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର
ସାରସକଣା,(ଭଗୀରଥ ମହାନ୍ତ) : ଝାରପୋଖରିଆ ବମ୍ୱେଛକସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ଡଃ ପ୍ରାଚୀପ୍ରଭା ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ପାଠଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଅନିଲ କୁମାର ଝା , ଅଧ୍ୟାପିକା ସ୍ୱେତା ସିଂହ , ପ୍ରଜ୍ଞାଶ୍ରୀ ମହାନ୍ତି , ସୋନାଲି ଦାଶ ମଞ୍ଚାସିନ ଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପିକା ସ୍ଵେତା ସିଂହ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଡଃ ପଢ଼ିଆରି ଅତିଥି ପରିଚୟ ଓ ବିଷୟ ବସ୍ତୁ ଉପରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୋନାଲି ଦାଶ ବିଷୟ ବସ୍ତୁ ଉପରେ ବକ୍ତବ୍ୟ ରଖିଥିଲେ । ବିଷୟ ବସ୍ତୁ ବିଶାରଦ ଭାବେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଇଂରାଜୀ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ସେନାପତି , ଡଃ ବୁଦ୍ଧଦେବ କର ଯୋଗ ଦେଇ ” ସାମାଜିକ ବାସ୍ତବତା ଓ ଭାରତୀୟ ଇଂରାଜୀ କବିତାରେ ସାମାଜିକ ପରିବର୍ତ୍ତନର ସ୍ୱର ” ଉପରେ ଆଲୋଚନା କରିଥିଲେ ।ଶ୍ରୀଯୁକ୍ତ ନଳିନୀ ରଞ୍ଜନ ସେନାପତି ଇଂରାଜୀ ସାହିତ୍ୟରେ ଇତିହାସ , କବି , କବିତା ଓ ସେମାନଙ୍କ ରଚନାରେ ସମାଜବାଦର ସ୍ୱର ଉପରେ ଆଲୋଚନା କରିଥିବା ବେଳେ ଡଃ ବୁଦ୍ଧଦେବ କର ଉଭୟ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସାହିତ୍ୟ ଓ କବିତାରେ ସମାଜବାଦ କିପରି ସମାଜ ପରିବର୍ତ୍ତନର ମୁଖ୍ୟ ସ୍ୱର ପାଲଟିଛି ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ । କାର୍ଯ୍ୟକ୍ରମ ଟିକୁ ସଫଳ କରିବା ଦିଗରେ ଇଂରାଜୀ ବିଭାଗର ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅଧ୍ୟାପିକା ପ୍ରଜ୍ଞାଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


