ଗଜପତିରେ ପୁଣି ଦାଦନ ଯନ୍ତ୍ରଣା: ଗୋଆରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ପୁଣି ଦାଦନ ଶ୍ରମିକଙ୍କ ଯନ୍ତ୍ରଣା ଲକ୍ଷ୍ୟ କରାଯାଇଛି.  ଗୋଆରେ ଗଜପତିର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି. ଏହି ଶ୍ରମିକଙ୍କୁ କୌଣସି ବ୍ୟକ୍ତି ଜାଣିଶୁଣି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ଆଣିଛନ୍ତି ଗୋଆରେ କାର୍ଯ୍ୟରତ କିଛି ଜଣ ଶ୍ରମିକ. ସୂଚ଼ନା ମୁତାବକ ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ଡ଼େଙ୍ଗାଆମ୍ବ ଗ୍ରାମର ଜୟ ମଳିକ(୧୮)ଦାଦନ ଖଟିବାକୁ ଗୋଆ ଯାଇଥିଲେ। ପୁରୁଣା ଗୋଆରେ ରହିଥିବା ସାମ୍ବାର ରେଷ୍ଟୁରେଣ୍ଟରେ ସପ୍ଳାଏର ଭାବେ ଦେଢ଼ ବର୍ଷ ହେଲା କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ପରିବାର ଲୋକଙ୍କ ସହିତ ଜୟ କଥାବାର୍ତ୍ତା ମଧ୍ୟ ହୋଇଥିବା ବେଳେ ଶନିବାର ଦଶଟା ବେଳେ ଜୟ ଗାଧୁଆ ଘରେ ଆତ୍ମହତ୍ୟା କରିଥିବା ମାଲିକ ପରିବାର ଲୋକଙ୍କୁ ସୂଚ଼ନା ଦେଇଥିଲେ। ଘଟଣା ସଂପର୍କରେ ବାପା ସନ୍ୟା ମଳିକ ଜାଣିବାକୁ ଚାହିଁବାରୁ ରେଷ୍ଟୁରାଣ୍ଟ ମାଲିକ ମୋ ସହିତ କଥା ନ ହୋଇ ପୁରୁଣା ଗୋଆ ଥାନା ପୁଲିସ ସହିତ କଥା ହେବାକୁ କହି ଫୋନ କାଟି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ହସ୍ତଗତ ହୋଇଥିବା ଫୋଟରେ ଜୟ ଗାଧୁଆ ଘରେ ବସିଥିବା ଅବସ୍ଥାରେ ତାଙ୍କ ବେକରେ ଗୋଟିଏ ବେଡସିଟ୍ ବନ୍ଧାଯାଇ ଥିବା ଓ ପାଣି ନଳରେ ଅନ୍ୟ ଏକ ପାର୍ଶ୍ଵ ବନ୍ଧାଯାଇ ଥିବାର ଦେଖି  ଘର ଲୋକେ ଜୟକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଗାଧୁଆ ଘରେ ତାକୁ ବସାଇ ଦେଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ପରିବାର ଲୋକେ ଗରୀବ ଆଦିବାସୀ ଶ୍ରେଣୀର ଅଟନ୍ତି| ଚାଷକରି ଜିବୀକା ନିର୍ବାହ କରନ୍ତି। ୩ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଜୟ ଥିଲେ ରୋଜଗାରକ୍ଷମ ପୁଅ । ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଏଣୁ ପରିବାରଙ୍କୁ ପ୍ରସାଶନ ପକ୍ଷରୁ ଆର୍ଥୀକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ପୁରୁଣା ଗୋଆ ପୁଲିସ ଷ୍ଟେସନରେ ୬୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡ଼ିଛି।  ବ୍ଳକ ପ୍ରଶାସନ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରଙ୍କୁ ୩ହଜାର ଟଙ୍କା ଦିଆଯାଇଥିବା ବେଳେ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ରାଜୀବ ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ