କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ପୁଣି ବିବାଦ: ସାହି ବାସିନ୍ଦାଙ୍କ ଧାରଣା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କରଗୋଳା ଗ୍ରାମରେ ରାସ୍ତା କାମକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏହାକୁ ନେଇ ଗୋଟିଏ ଗୋଷ୍ଠୀର ଲୋକମାନେ କାମ ଆରମ୍ଭ କରିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବା ଲୋକଙ୍କ ଅଭିଯୋଗ ଅନୁଯାଇ କରଗୋଳା ଗ୍ରାମକୁ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇ ସରକାରଙ୍କ ପକ୍ଷରୁ ଅନୁଦାନ ଯୋଗାଇ ଦିଆ ଯାଇଛି। ପଣ୍ଡା ସାହି ଠାରୁ ଆର ଡି ରୋଡ଼ ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତା ନିର୍ମାଣ ବେଳେ ବିବାଦ ଉପୁଜୁଛି। ଏହି ରାସ୍ତା ନିର୍ମାଣ ପାଇଁ କନିଷ୍ଠଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ସେମାନଙ୍କୁ ନ ଜଣାଇ କାମ ଆରମ୍ଭ ହେବାରୁ ଦୁଇ ସାହିର ଲୋକେ ବିରୋଧ କରି ଧାରଣାରେ ବସିଥିଲେ। ଦୀର୍ଘ ୧୬ ଦିନ ପରେ ବିଡ଼ିଓ ପହଞ୍ଚି ଆଲୋଚନା କରି ଉଭୟ ଗୋଷ୍ଠୀର ଲୋକେ କାମ କରିବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଗତକାଲି ଅନ୍ୟ ଗୋଟିଏ ଗୋଷ୍ଠୀର ଲୋକମାନେ ଧାରଣାରେ ବସିଥିବା ଲୋକଙ୍କୁ ନ ପଚାରି କାମ ଆରଂଭ କରିବାରୁ ପୁଣି ବିବାଦ ଆରମ୍ଭ ହୋଇଛି। ସେମାନେ ଏ ନେଇ ବିଡ଼ିଓ, ନନ୍ଦିପଦା ପୋଲିସ କୁ ଜଣାଇ ପୁଣି ଧାରଣାରେ ବସିଛନ୍ତି। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତ ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


