ମାଛ ବ୍ୟବସାୟୀଙ୍କୁ ଅସାମାଜିକ ଯୁବକଙ୍କ ସଂଘବଦ୍ଧ ଆକ୍ରମଣ :୩ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରରେ କିଛିଦିନ ର ନୀରବତା ପରେ ପୁଣି ଅସାମାଜିକ ଯୁବକଙ୍କ ଆତଙ୍କରାଜ ଆରମ୍ଭ ହୋଇଯାଇଛି।ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧ ଟାରେ ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ମାଛ ଦୋକାନରେ କିଛି ଅସାମାଜିକ ଯୁବକ ପହଞ୍ଚି ସେଠାରେ ଥିବା ତିଳେଶ୍ୱର ଗ୍ରାମର ଜଣେ ଯୁବକଙ୍କୁ ୧ ହଜାର ଟଙ୍କା ଦାଦା ବଟି ମାଗିଥିଲେ।ସେ ମନା କରିବାରୁ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ।ମାଛ ଦୋକାନୀ ଗଣେଶ ବେହେରା ପ୍ରତିବାଦ କରିବାରୁ ସେମାନେ ସେଠାରୁ ପଳାଇଥିଲେ।ପୁଣି କିଛି ସମୟପରେ ୧୦ ରୁ ଉର୍ଦ୍ଧ୍ବ ଅସାମାଜିକ ଯୁବକ ହାତରେ ହକିଷ୍ଟିକ୍,ଖଣ୍ଡା,ଭୁଜାଲି,ଠେଙ୍ଗା ଧରି ଆସି ମାଛ ବ୍ୟବସାୟୀ ଏବଂ ସେଠାରେ ଥିବା ଆଦି ପାଣିଗ୍ରାହୀ ଙ୍କୁ ନିସ୍ତୁକ ମାଡ଼ ମାରି ଚମ୍ପଟ ମାରିଥିଲେ।ଏନେଇ ଗଣେଶ ଥାନାରେ ଏତଲା ଦେଇଛନ୍ତି।ଖବରପାଇ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ ସହରର ବହୁ ସଂଖ୍ୟକ ବ୍ୟକ୍ତି ଥାନାରେ ପହଞ୍ଚି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଭେଟି ସହରରେ ଆତଙ୍କ ସୃଷ୍ଟି କରୁଥିବା ଅସାମାଜିକ ଯୁବକ ମାନଙ୍କୁ ଅତିଶୀଘ୍ର ଗିରଫ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ଜଣାଇଛନ୍ତି। ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି , ଅତ୍ୟାଧୁନିକ ଲାଇଟ୍, ମୁକ୍ତାକାଶ ଜିମ୍ ରେ ଲାଗିଥିବା ଲକ୍ଷାଧିକ ଟଙ୍କା ର ଯନ୍ତ୍ରାଂଶ, ବାଟୋଇ ମାନେ ବସିବା ପାଇଁ କରାଯାଇଥିବା ସିମେଣ୍ଟ ଚେୟାର ଗୁଡ଼ିକୁ ସେମାନେ ହିଁ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି।ସହରର ହସ୍ପିଟାଲ ନିକଟରେ ଥିବା ସାହାଣୀ ସାହିର କିଛି ନିର୍ଦ୍ଦିଷ୍ଟ ଅସାମାଜିକ ଯୁବକ ଏସବୁ ସମାଜ ବିରୋଧୀ କାର୍ଯ୍ୟରେ ଜଡ଼ିତ ରହିଛନ୍ତି।ଛାତ୍ରୀ ମାନେ କଲେଜ , ଟିୟୁସନ୍ ଯିବା ଆସିବା ସମୟରେ ବିଭିନ୍ନ ଛକ ରେ ଆଡ୍ଡା ଜମାଇ ସେମାନଙ୍କୁ ଅଶ୍ଳିଳ ମନ୍ତବ୍ୟ ଦେଉଛନ୍ତି।ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ବୃନ୍ଦ ଏଭଳି କାର୍ଯ୍ୟରେ ନିଜ ନିଜକୁ ଅସହାୟ ମନେ କରୁଛନ୍ତି। ସହରରେ ଗତ କିଛିଦିନ ହେଲା ଆଇନଶୃଙ୍ଖଳା ସ୍ଥିତି ବିଗିଡି ଯାଇଛି।ବୁଧବାର ଏନେଇ ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ରେ ସର୍ବଦଳୀୟ ସଭା କରାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିବା ଏନଏସି ଅଧ୍ୟକ୍ଷ ଜଣାଇଛନ୍ତି।ଘଟଣାରେ ସମ୍ପୃକ୍ତ ୩ ଯୁବକଙ୍କ ସମେତ ଅନ୍ୟ କିଛି ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ସହରରେ ଏନେଇ ଚାପା ଉତ୍ତେଜନା ଲାଗି ରହିଛି।


