ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ନିମନ୍ତେ ସମୀକ୍ଷା
ଛତ୍ରପୁର, (ଓ୍ବାଇଏନଏସ) : ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଆଗାମୀ ପୌର ଓ ପଚାଂୟତ ନିର୍ବାଚନ ସମ୍ବନ୍ଧରେ ବିଭିନ୍ନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ପାଢୀ ଅଧ୍ୟକ୍ଷତା କରି ଆଗକୁ ଉଭୟ ନିର୍ବାଚନ ଆସୁଛି ଏଣୁ ଗତ ପୌର ଓ ପଚାଂୟତ ନିର୍ବାଚନର ଅନୁଭୂତିକୁ ନେଇ ଆଗାମୀ ଉଭୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା ଓ ନିର୍ଭୀକ ମତଦାନକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ପାଢୀ କହିଛନ୍ତି । ଏହାସହ ଜିଲ୍ଲାରେ ନୂତନ ଭୋଟର ହାରକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଆସନ୍ତାବର୍ଷ ଜାନୁଆରିରେ ଯେଉଁ ଭୋଟର ୧୮ ବର୍ଷ ବୟସରଙ୍କ ପାଦ ଦେବେ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ବର୍ତମାନ ଭୋଟର ତାଲିକା ସଂଶୋଧନ, ବାଦ୍ ଓ ସଂଯୋଗ କାର୍ଯ୍ୟକୁ ନେଇ ଗ୍ରାମାଚଂଳ ଓ ସହରାଚଂଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ହେବ । ବର୍ତମାନ ସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ବ୍ୟାଲେଟ୍ ବକ୍ସ ସମ୍ବନ୍ଧୀୟ ନେଇ ଆଲୋଚନା କରିଥିଲେ । ଗତ ପୌର ଓ ପଚାଂୟତ ନିର୍ବାଚନରେ ଜିଲ୍ଲାରେ ସମୁଦାୟ ୭୦୯୯ଟି ବୁଥ୍ରେ ମତଦାନ ହୋଇଥିବା ବେଳେ ସେଥିରୁ ୬୮୩ଟି ବୁଥ୍ ସମ୍ବେଦନଶୀଳ ରହିଥିବା ବେଳେ ୪୦୭ଟି ବୁଥ୍ ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଥିଲା । ଆସନ୍ତା ଉଭୟ ନିର୍ବାଚନ ବେଳେ ବୁଥ୍ ସଂଖ୍ୟା ସହ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍ ସଂଖ୍ୟା ବଢ଼ିପାରେ ଏହାକୁ ମଧ୍ୟ ନଜର ରଖିବାକୁ ହେବ । ଗଞ୍ଜାମ ଜିଲ୍ଲାର ୩ଟି ସବ୍ଡିଭିଜନ୍ ଅଧୀନରେ ୨୨ଟି ବ୍ଲକ୍ ୫୦୩ ପଚାଂୟତ, ୩୨୫୪ଟି ଗାଁ, ୭୦୯୯ ୱାର୍ଡ ଏବଂ ଗୋଟିଏ ମହାନଗରନିଗମଙ୍କ ସମେତ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ମ୍ୟୁନସିପାଲିଟି ଓ ଏନ୍ଏସିକୁ ନେଇ ଗଠିତ ସହରାଂଚଳ ରହିଛି । ୨୦୧୧ ଜନଗଣନା ଅନୁସାରେ ୩୫ ଲକ୍ଷ ୨୯ ହଜାର ୦୩୧ ଜନସଂଖ୍ୟା ରହିଥିବା ବେଳେ ସେଥିରୁ ୨୯ ଲକ୍ଷ ୮ ହଜାର ୭୭୯ ଜଣ ଗ୍ରାମାଚଂଳ ବାସିନ୍ଦା । ସେହିପରି ଅନୁସୂଚିତ ଜନଜାତି ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୭୪ ଜଣ ଏବଂ ଅନୁସୂଚିତ ଜାତିର ୬ ଲକ୍ଷ ୨ ହଜାର ୮୨୧ ଜଣ ରହିଛନ୍ତି । ଏଣୁ ଆଗାମୀ ଉଭୟ ନିର୍ବାଚନ ବେଳେ ଜନସଂଖ୍ୟା ସହିତ ଭୋଟର ସଂଖ୍ୟା ଅଧିକାରହିବ । ସେହି ଅନୁସାରେ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି ରହିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତିଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିଶନର, ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି, ଦେବବ୍ରତ ପଣ୍ଡା ଓ ସୁନିଲ୍ କେର୍କେଟା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର , ଛତ୍ରପୁର ଉପଜିଲ୍ଲାପାଳ ସୁବାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ପଂଚାୟତ ଅଧିକାରୀ ଏବଂ ସମସ୍ତ ବ୍ଲକର ବିଡିଓ, ସମସ୍ତ ସହରାଂଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ(ଇଓ) ଏବଂ ପୌର ଓ ପଂଚାୟତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।