ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆସିକା ଚିନିଶିଳ୍ପ ନୁଆଗାଁର ମାମିନୀ
ଆସିକା (ୱାଇଏନ୍ଏସ୍) ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡିଶା ସିଭିଲ୍ ସର୍ଭିସ୍ (ଓସିଏସ୍)୨୦୨୩ ର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଏହି ପରୀକ୍ଷାରେ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ଚିନିଶିଳ୍ପ ନୁଆଗାଁର ସୁନାଝିଅ ତଥା ମେଧାବୀ ଛାତ୍ରୀ ମାମିନୀ କୁମାରୀ ପରିଡା ୧୧୫ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାବନପୁର କ୍ଳଷ୍ଟରର ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ଓ ତାଙ୍କ ସହଧର୍ମିଣୀ ତଥା ସହକାରୀ ଶିକ୍ଷୟିତ୍ରୀ ଉର୍ମିଳା କୁମାରୀ ନାହାକଙ୍କ ସୁକନ୍ୟା ମାମିନୀ କୁମାରୀ ପରିଡା ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରୀ ମାମିନୀ କୁମାରୀ ପରିଡାଙ୍କୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିବରାମ ବେହେରାଙ୍କ ସମେତ ବହୁ ସଚେତନ ନାଗରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଓସିଏସ୍ ପରୀକ୍ଷାରେ ୧୧୫ ତମ ସ୍ଥାନ ରଖି ସଫଳତା ପାଇଥିବା ଚିନିଶିଳ୍ପ ନୁଆଗାଁର ସୁନାଝିଅ ମାମିନୀ କୁମାରୀ ପରିଡା ନିଜର ଏହି ସଫଳତାର ଶ୍ରେୟ ନିଜ ପିତା ଦିଲୀପ କୁମାର ପରିଡା ଓ ମାତା ଉର୍ମିଳା କୁମାରୀ ନାହାକଙ୍କ ସମେତ ସମସ୍ତ ପରିବାରବର୍ଗ, ସାଙ୍ଗସାଥୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିବା ସାଙ୍ଗକୁ ଆଗାମୀ ଦିନରେ ପ୍ରଶାସନିକ ସେବାରେ ଯୋଗଦେବା ପରେ ସରକାରୀ ନୀତିନିୟମକୁ ମାନି ସମସ୍ତ କାର୍ଯ୍ୟ ସଂପାଦନ କରିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।